ମାଲକାନଗିରି: ପୁଣି ଥରେ ମାଲକାନଗିରି ଜିଲ୍ଲାରୁ ଜବତ ହୋଇଛି କୋଟି କୋଟି ଟଙ୍କାର ଗଞ୍ଜେଇ ତେଲ । ନୂଆ ଆଡ୍ଡା ଖୋଜିବା ସମୟରେ ମାଡ଼ି ବସିଲା ପୋଲିସ । ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ତେଲ ସହ ୫୦ କେଜି ଗଞ୍ଜେଇ ଜବତ ହୋଇଛି ।
ସୂଚନା ମୁତାବକ ଚିତ୍ରକୋଣ୍ଡା ଅଞ୍ଚଳରେ ଗଞ୍ଜେଇ ତେଲ ପ୍ରସ୍ତୁତ ହେଉଥିବା ଜାଣି ପୋଲିସ ବାରମ୍ବାର ସର୍ଚ୍ଚ ଅପରେସନ କରୁଥିଲା । ତେବେ ପୋଲିସର ଏହି ଅପରେସନ ଯୋଗୁଁ ମାଫିଆ ମାନେ ଆଡ୍ଡା ବଦଳାଇବା ସମୟରେ ଏସ.ଆର ଛକ ନିକଟରେ ପୋଲିସ ମାଡ଼ି ବସିଲା ।
ମାଲକାନଗିରି ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସଫଳତା ମିଳିଛି । ଚଢ଼ାଉରେ ହାସିସ୍ ତେଲ ଉତ୍ପାଦନ ପାଇଁ ବ୍ୟବହୃତ ପ୍ରାୟ ୮୦୦ ଲିଟର ରାସାୟନିକ ପଦାର୍ଥ ଏବଂ ଦ୍ରାବକ ଉଦ୍ଧାର କରାଯାଇଛି । ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଭାଙ୍ଗି ଦିଆଯାଇଛି। ଗାଡ଼ିରୁ ସ୍ୱତନ୍ତ୍ର ପ୍ରସ୍ତୁତ ଉପକରଣ ସମେତ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରକ୍ରିୟାକରଣ ୟୁନିଟ୍ ଜବତ କରାଯାଇଛି । ଜବତ ହାସିସ୍ ତେଲର ସମ୍ଭାବ୍ୟ ଉତ୍ପାଦନର ବଜାର ମୂଲ୍ୟ ପ୍ରାୟ ୧୦୦ କୋଟି ହେବ ବୋଲି ଆକଳନ କରାଯାଇଛି । ପୋଲିସ ୬ ଜଣଙ୍କୁ ଗିରଫ କରିଥିବାବେଳେ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଛି ।