ଭୁବନେଶ୍ୱର: ରାଜ୍ୟରେ ଓମ୍ଫେଡ୍ କ୍ଷୀର ଦାମରେ ବୃଦ୍ଧି ଘଟିଛି । ବିଭିନ୍ନ ବର୍ଗରେ ପ୍ରାୟ ୪ ଟଙ୍କା ଲେଖାଏଁ ଦର ବୃଦ୍ଧି ପାଇଛି । ଆଜିଠାରୁ ରାଜ୍ୟରେ ଓମ୍ଫେଡର ନୂଆ ଦର ଲାଗୁ ହୋଇଛି।
ଓମ୍ଫେଡ୍ ଟୋନ୍ଡ ଦୁଗ୍ଧ ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ପୂର୍ବରୁ ଏହି କ୍ଷୀରର ଦାମ୍ ଲିଟର୍ ପିଛା ୫୦ ଟଙ୍କା ଥିବାବେଳେ ତାହା ଏବେ ୫୪ ଟଙ୍କା ହୋଇଛି । ସେହିପରି ପ୍ରିମିୟମ୍ କ୍ଷୀର ଲିଟର ପ୍ରତି ମଧ୍ୟ ୪ ଟଙ୍କା ବଢ଼ିଛି । ପ୍ରିମିୟମ୍ କ୍ଷୀର ୫୪ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି । ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୫୬ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହୋଇଛି । ଏହା ସହିତ ଗୋଲ୍ଡ ପ୍ରିମିୟର୍ ପ୍ଲସ୍ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରୁ ବଦଳରେ ୬୪ ଟଙ୍କା ହୋଇଛି । ଅର୍ଥାତ ଗୋଟିଏ ପ୍ୟାକେଟ୍ ୫୦୦ ମିଲି ଲିଟର ଉପରେ ୨ ଟଙ୍କା ବୃଦ୍ଧି ହୋଇଛି।
ଦୁଗ୍ଧ ବୃଦ୍ଧି ହେବା ଦ୍ୱାରା ଗୋ-ପାଳନ କରୁଥିବା ଚାଷୀମାନେ ଉପକୃତ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି ଯେ ବହୁତ ଦିନ ଧରି ଦୁଗ୍ଧ ଦାମରେ ବୃଦ୍ଧି ଘଟିନଥିଲା । ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ଅଧିକ ଦାମରେ କ୍ଷୀର କ୍ରୟ କରିବେ । ଫଳରେ ଚାଷୀ ଲାଭାନ୍ୱିତ ହେବେ । ବର୍ତ୍ତମାନ ପ୍ରକ୍ରିୟାକରଣ, ପରିବହନ ପାଇଁ ଅଧିକ ଖର୍ଚ୍ଚ ହେଉଛି ସେଥିପାଇଁ ଦର ବୃଦ୍ଧି କରାଯାଇଛି । ଅନ୍ୟ ବ୍ରାଣ୍ଡ୍ କ୍ଷୀର ଠାରୁ ଓମଫେଡ୍ କ୍ଷୀର ଦାମ ଯଥେଷ୍ଟ କମ୍ ରହିଛି । ଆଭେରେଜ ଦେଖିଲେ ଅଧା ଲିଟର ପିଛା ପ୍ରାୟ ୨ ଟଙ୍କା ବଢ଼ିଛି । କିନ୍ତୁ କ୍ଷୀରର ମାନରେ କୌଣସି କମ୍ପରମାଇଜ କରାଯାଇ ନାହିଁ। ଚାଷୀ ଏହାଦ୍ୱାରା ଲାଭବାନ ହେବେ। ଚାଷୀଙ୍କ ଠାରୁ ଅଧିକ ମାତ୍ରାରେ କ୍ଷୀର ସଂଗ୍ରହ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।