ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମାତ୍ର ୨ଟି ସିଟ୍ ମିଳିଛି । ଏହା ବ୍ୟତୀତ ତାମିଲନାଡୁରେ ଦଳ ବହୁ କଷ୍ଟରେ ୪ ସିଟ୍ ଜିତିବାକୁ ସକ୍ଷମ ହୋଇଛି । ଏହି ରାଜ୍ୟରେ ୨୦୨୧ ନିର୍ବାଚନରେ ୧୮ଟି ସିଟ୍ ଜିତିଥିଲା କଂଗ୍ରେସ । ଏହିପରି ଭାବେ ଦୁଇଟି ରାଜ୍ୟରେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିଛି । ତଥାପି ଗୋଟିଏ କାରଣ ପାଇଁ କଂଗ୍ରେସ ଖୁସି ହେବ । ତାହା ହେଉଛି ମମତା ବାନାର୍ଜୀ ଓ ଏମକେ ଷ୍ଟାଲିନଙ୍କ ପରି ନେତାଙ୍କ ପରାଜୟ । ଏହି ଦୁଇ ନେତା କ୍ଷମତା ହରାଇବା ସହ ସହ ନିଜର ସିଟ୍ ବି ବଞ୍ଚାଇ ପାରି ନାହାନ୍ତି । ଏବେ ଦୁଇ ନେତା ଆଉ ମୁହଁ ଟାଣ କରି କହି ପାରିବେ ନାହିଁ କି କଂଗ୍ରେସକୁ ନାଲି ଆଖି ଦେଖାଇ ପାରିବେ ନାହିଁ । ବିଶେଷ କରି ଇଣ୍ଡିଆ ମେଣ୍ଟରେ ଦୁଇ ନେତାଙ୍କ ପତିଆରା ଓ ଓଜନ କମ ହେବ ।
ଦୃଢ ବିରୋଧୀ ଆସନରେ କଂଗ୍ରେସ ଓ ରାହୁଲ
କଂଗ୍ରେସ ପାଇଁ ଆଶ୍ୱସ୍ତିକର ବିଷୟ ଏହା ଯେ, ଦଳର ନେତା ରାହୁଲ ଗାନ୍ଧୀଙ୍କ ପାଖରେ ସାରା ଦେଶରେ ବିରୋଦୀ ଦଳର ନେତା ଭାବେ ସ୍ଥାପିତ କରିବାର ସୁଯୋଗ ରହିବ । ସର୍ବଦା ନିର୍ବାଚନ ପରାଜୟ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠି ଆସିଥିଲା । ପୁଣି କୁହାଯାଉଥିଲା ଇଣ୍ଡି ମେଣ୍ଟର ନେତୃତ୍ୱ ମମତା ବାନାର୍ଜୀ କିମ୍ବା ଏମକେ ଷ୍ଟାଲିନଙ୍କ ପରି ନେତା ନିଅନ୍ତୁ । ଏବେ ଦୁହିଁଙ୍କ ପରାଜୟ ପରେ ଦାବିଦାବ ମଧ୍ୟ ସମାପ୍ତ ହୋଇଛି । ଏହା ବ୍ୟତୀତ ବିହାରରେ ଆରଜେଡି, ୟୁପରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ବହୁତ ଦୁର୍ବଳ ସ୍ଥିତିରେ ଅଛନ୍ତି । ମହାରାଷ୍ଟ୍ରରେ ଏନସିପିର ସ୍ଥିତି ଖରାପ । ଏମିତିରେ କଂଗ୍ରେସ ହିଁ ଏକମାତ୍ର ଦଳ ଯିଏ ବିରୋଧୀ ଦଳ ଏବଂ ଇଣ୍ଡି ମେଣ୍ଟର ନେତୃତ୍ୱ ନେବାକୁ ସକ୍ଷମ ।
ଏବେ ଅସ୍ଥିତ୍ୱ ଜାହିର କରିବ କଂଗ୍ରେସ
ପଶ୍ଚିମବଙ୍ଗରେ କଂଗ୍ରେସକୁ ଏଥର ଦୁଇଟି ସିଟ୍ ମିଳିଛି । ୨୦୨୧ରେ ତ ଦଳ ଖାତା ଖୋଲି ପାରି ନ ଥିଲା । ଏମିତିରେ କଂଗ୍ରେସ ପାଖରେ ପଶ୍ଚିମବଙ୍ଗରେ ପୁଣି ଥରେ ନିଜକୁ ସ୍ଥାପିତ କରିବାର ସୁଯୋଗ ରହିବ । ଟିଏମସିର ପରାଜୟ ପରେ ବିଜେପି ବିରୋଧରେ ବିରୋଧୀ ପାର୍ଟି ହିସାବରେ ଗୃହରୁ ସଡକ ପର୍ଯ୍ୟନ୍ତ ଯଦି କଂଗ୍ରେସ ସଂଘର୍ଷ କରେ ତେବେ ଆଗାମୀ ସମୟରେ ଦଳ ପାଖରେ ସୁଯୋଗ ରହିବ । ପଶ୍ଚିମବଙ୍ଗରେ ଟିଏମସି ଥିବାରୁ କଂଗ୍ରେସ ଖୋଲାଖୋଲି ମଇଦାନରେ ଲଢି ପାରୁ ନ ଥିଲା । କିନ୍ତୁ ଦଳ ଏବେ ବଙ୍ଗାଲରେ ନିଜର ଅସ୍ଥିତ୍ୱ ଜାହିର କରିବାକୁ ଚେଷ୍ଟା କରିବ ।