କୋଲକାତା: ଦିନେ ଯିଏ ଘରେ ଘରେ ବୁଲି କାହାର ବାସନ ଧୋଉଥିଲେ ତ ଆଉ କାହା ଘରେ ଝାଡ଼ୁ ମାରୁଥିଲେ ଆଜି ସିଏ ବିଧାନସଭାରେ ବସିବ । ଘରୋଇ ସହାୟିକାରୁ ହୋଇଛନ୍ତି ବିଧାୟିକା । ଏମିତି ନିଜ ଭାଗ୍ୟ ବଦଳାଇଛନ୍ତି ପଶ୍ଚିମବଙ୍ଗର ୩୭ ବର୍ଷିୟା କାଲିତା ମାଝୀ ।
କାଲିତା ମାଝୀଙ୍କୁ ବିଜେପି ଔସଗ୍ରାମ ଆସନରୁ ଟିକେଟ୍ ଦେଇଥିଲା । ସେ କଂଗ୍ରେସ ପ୍ରତ୍ୟାଶୀ ଶ୍ୟାମ ପ୍ରସନ୍ନ ଲାହୋରଙ୍କୁ ପାଖାପାଖି ୧୨ ହଜାର ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ମାଝୀଙ୍କ ମୋଟ ୧ ଲକ୍ଷ ୭ ହଜାର ୬୯୨ଟି ଭୋଟ୍ ମିଳିଛି ।
ଗୁସକାରା ବାସିନ୍ଦା କାଲିତା ପୂର୍ବରୁ ଘରୋଇ ସହାୟିକା ଭାବେ କାମ କରୁଥିଲେ । ତାଙ୍କର ମାସିକ ଆୟ ମାତ୍ର ୨୫୦୦ ଟଙ୍କା ଥିଲା । ସ୍ଥାନୀୟ ଅଞ୍ଚଳରେ ତାଙ୍କର ଲୋକ ସମ୍ପର୍କ ମଜବୁତ ହେଉଥିବା ଦେଖି ୨୦୨୧ରେ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା । ମାତ୍ର ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ଥର ମଧ୍ୟ ପୁଣି ଥରେ ଦଳ ତାଙ୍କ ଉପରେ ଭରସା ଦେଖାଇଥିଲା । ଆଉ କାଲିତା ସେହି ବିଶ୍ୱାସ ଏବଂ ଭରସା ବଜାୟ ରଖିବାରେ ସଫଳ ହୋଇଛନ୍ତି ।
ଟିକେଟ୍ ମିଳିବା ପରେ ମଧ୍ୟ ସେ ନିଜର ବୃତ୍ତିକୁ ଛାଡ଼ିନଥିଲେ । ପୂର୍ବ ଭଳି ବାସନ ଧୋଇବା ଏବଂ ଝାଡ଼ୁ ମାରିବା କାମ ଜାରି ରଖିଥିଲେ । କାଲିତା ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେତେବେଳେ ତାଙ୍କୁ ଟିକେଟ୍ ମିଳିଥିଲା ସେ ଦୁଇଟି ଘରେ କାମ କରୁଥିଲେ । ମାସକୁ ୪୫୦୦ ଟଙ୍କା କମାଉଥିଲେ । ସକାଳ ୫ଟାରୁ ଉଠି କାମକୁ ବାହାରି ଯାଆନ୍ତି ଏବଂ ତା ପରେ ପ୍ରଚାର କରନ୍ତି । ସେହିପରି କାଲିତା ଯାହା ଘରେ କାମ କରନ୍ତି ସେମାନେ କହିଛନ୍ତି ଯେ ସକାଳ ୭ଟା ବେଳକୁ ମାଲିକଙ୍କ ଘରେ ପହଁଚି ଯାଉଥିଲେ । ଆଉ ନିଜ କାମ ବାହାରି ଯାଉଥିଲେ ନିର୍ବାଚନ ପ୍ରଚାରରେ । ତେବେ ଘରର ମାଲିକ ପ୍ରଚାର ଉପରେ ଧ୍ୟାନ ଦେବାକୁ ତାଗିଦ କରିବା ପରେ ସେ ନିଜ କାମ ଛାଡ଼ି ନିର୍ବାଚନ ପ୍ରଚାର ଉପରେ ଅଧିକ ଧ୍ୟାନ ଦେଇଥିଲେ ।