ଆଇପିଏଲ ୨୦୨୬ ର ୪୮ ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଚଳିତ ସିଜିନରେ ଦୁଇ ଦଳ ୯ ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ଉଭୟ ୪ ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଦୁଇ ଦଳ ପାଖେ ୮ ପଏଣ୍ଟ ଥିବାବେଳେ ନେଟ୍ ରନ ରେଟ୍ ଆଧାରରେ ଚେନ୍ନାଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ଓ ଦିଲ୍ଲୀ ସପ୍ତମ ସ୍ଥାନରେ ରହିଛି ।
ସିଜିନ ଆରମ୍ଭରୁ ଚେନ୍ନାଇକୁ ପରାଜୟର ସାମ୍ନା କିରବାକୁ ପଡିଥିଲା । ଏହା ପରେ ଦଳ ସାମାନ୍ୟ ଟ୍ରାକକୁ ଫେରିଛି ଓ ପ୍ଲେଅଫ ଦୌଡ଼ରେ ମଧ୍ୟ ଜୀବିତ ରହିଛି । ବାକି ଥିବା ୫ ଟି ମ୍ୟାଚରୁ ୫ ଟି ବିଜୟ ହାସଲ କଲେ ଚେନ୍ନାଇ ଅତିସହଜରେ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବ। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ଦୁଇଟି ବିଜୟ ସହ ଚଳିତ ସିଜିନର ଆରମ୍ଭ କରିଥିଲା । ପରବର୍ତ୍ତୀ ମ୍ୟାଚରେ ଜଶ ବଟଲରଙ୍କ ଭୁଲ ନିଷ୍ପତି ପାଇଁ ଗୁଜରାଟ ବିପକ୍ଷ ମ୍ୟାଚରେ ଏକ ରନରେ ମ୍ୟାଚ ହାରିଥିଲା ଦିଲ୍ଲୀ । ପ୍ରଥମ ଦୁଇଟି ବିଜୟ ପରେ ଶେଷ ୭ ଟି ମ୍ୟାଚରୁ ମାତ୍ର ୨ ଟି ମ୍ୟାଚରେ ବିଜୟ ହାସଲ କରିଛି ଦିଲ୍ଲୀ । ପଞ୍ଜାବ ବିପକ୍ଷ ମ୍ୟାଚରେ ୨୫୨ ରନ ସଂଗ୍ରହ କରିବ ସତ୍ୱେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଶେଷ ମ୍ୟାଚରେ ରାଜସ୍ଥାନ ଦେଇଥିବା ୨୨୬ ରନର ଲକ୍ଷ୍ୟକୁ ୧୯.୧ ଓଭରରେ ଚେଜ କରିଛି ଦିଲ୍ଲୀ ।
ଆହତ ସମସ୍ୟା : ଚେନ୍ନାଇ ପାଇଁ ସିଜିନ ଆରମ୍ଭରୁ ଅନେକ ଖେଳାଳିଙ୍କ ଆହତ ସମସ୍ୟା ଲାଗି ରହିଛି । ମହେନ୍ଦ୍ର ସିଂ ଧୋନି ସମ୍ପୂର୍ଣ୍ଣ ଫିଟ ନାହାନ୍ତି ଓ ସେ ଦିଲ୍ଲୀ ଆସିପାରିନାହାନ୍ତି । ଗତ ମୁମ୍ବାଇ ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଥିବା ରାମକ୍ରିଷ୍ଣ ଘୋଷ ଆହତ ହୋଇ ଚଳିତ ସିଜିନରୁ ବାଦ ପଡିଛନ୍ତି । ପୂବରୁ ଆୟୁଷ ମହାତ୍ରେ ଓ ନାଥନ ଇଲିଶ ଆହତ ହୋଇ ଚଳିତ ସିଜିନରୁ ବାଦ ପଡ଼ିଥିଲେ । ନାଥନ ଇଲିଶଙ୍କ ବଦଳରେ ଆସିଥିବା ସ୍ପେନସର ଜନସନ ମଧ୍ୟ ଆହତ ଥିବାରୁ ଚଳିତ ସିଜିନର ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି ।
ଦିଲ୍ଲୀ ପାଇଁ ସାମାନ୍ୟ ଖୁସିର ଖବର ରହିଛି । ପଞ୍ଜାବ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ଲୁଙ୍ଗି ଇଂଗିଡ଼ି ଆଜିର ମ୍ୟାଚ ପାଇଁ ଉପଲବ୍ଧ ଅଛନ୍ତି ।