ଗତ ସୋମବାର ମୁମ୍ବାଇ ଇଂଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଡେବ୍ୟୁ କରିଥିଲେ ଅକ୍ଷତ ରଘୁବଂଶୀ। ତାଙ୍କ ଆଇପିଏଲ କ୍ୟାରିଅରର ପ୍ରଥମ ବଲରେ ଛକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବ ବର୍ଷ ବୈଭବ ସୂର୍ଯ୍ୟବଂଶୀ କିଛି ଏଭଳି କାରନାମା କରିଥିବାବେଳେ ଚଳିତ ବର୍ଷ ଅକ୍ଷତ ରଘୁବଂଶୀ ମଧ୍ୟ ପ୍ରଥମ ବଲରେ ଛକା ମାରି ନିଜ ନାଁ ରେକର୍ଡ ବୁକରେ ସାମିଲ କରିଛନ୍ତି ।
ଆଇପିଏଲ ଇତିହାସରେ ମାତ୍ର ୧୦ ଜଣ ଖେଳାଳି ପ୍ରଥମ ବଲରେ ଛକା ମାରିଛନ୍ତି । ୨୦୨୬ ରେ ଲକ୍ଷ୍ନୌ ପାଇଁ ଡେବ୍ୟୁ କରି ଅକ୍ଷତ ରଘୁବଂଶୀ ଏହି ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରିଛନ୍ତି ।
ଆଇପିଏଲ କ୍ୟାରିଅରର ପ୍ରଥମ ବଲରେ ଛକା ମାରିଥିବା ଖେଳାଳି
ରବ କ୍ୱିନି (ରାଜସ୍ଥାନ ରୟାଲ୍ସ)
କେଭନ କୂପର (ରାଜସ୍ଥାନ ରୟାଲ୍ସ)
ଆଣ୍ଡ୍ରେ ରସେଲ (କୋଲକାତା ନାଇଟ ରାଇଡ଼ର୍ସ)
କାର୍ଲୋସ ବ୍ରାଥୱେଟ୍ (ଦିଲ୍ଲୀ ଡେୟାରଡେଭିଲ୍ସ)
ଅନିକେତ ଚୌଧୁରୀ (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)
ଜାଭନ୍ ସିଅର୍ଲସ୍ (କୋଲକାତା ନାଇଟ ରାଇଡ଼ର୍ସ)
ସିଦ୍ଧେଶ ଲାଡ଼ (ମୁମ୍ବାଇ ଇଂଡିଆନ୍ସ)
ମହେଶ ଥିକସଣା (ଚେନ୍ନାଇ ସୁପର କିଙ୍ଗ୍ସ)
ସମୀର ରିଜଭି (ଚେନ୍ନାଇ ସୁପର କିଙ୍ଗ୍ସ)
ବୈଭବ ସୂର୍ଯ୍ୟବଂଶୀ (ରାଜସ୍ଥାନ ରୟାଲ୍ସ)
ଅକ୍ଷତ ରଘୁବଂଶୀ (ଲକ୍ଷ୍ନୌ ସୁପର ଜାଏଣ୍ଟସ)
ଏହି ମ୍ୟାଚର ୧୧ ତମ ଓଭରରେ ୱିଲ୍ ଜ୍ୟାକ୍ସ ପ୍ରଥମ ବଲରେ ରିଶବ ପନ୍ତଙ୍କୁ ଆଉଟ କରିଥିଲେ । ପରବର୍ତ୍ତୀ ବଲରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷତ ରଘୁବଂଶୀ ପ୍ରଥମ ବଲରେ ୱିଲ୍ ଜ୍ୟାକ୍ସଙ୍କୁ ଲଙ୍ଗ-ଅନ ଉପରେ ଏକ ୮୯ ମିଟରର ଛକା ମାରିଥିଲେ । ଏହା ପରେ ସେ ଏହି ଇନିଂସକୁ ବଡ କରିପାରନଥିଲେ, ୭ ବଲରେ ୧୧ ରନ କରି ନିଜ ୱିକେଟ୍ ହରାଇଥିଲେ । ମଧ୍ୟ ପ୍ରଦେଶ ପାଇଁ ଖେଳୁଥିବା ଏହି ଖେଳାଳି ୨୦୨୫ ରେ ମଧ୍ୟ ପ୍ରଦେଶ ଲିଗ୍ ରେ ବିସ୍ଫୋରକ ଇନିଂସ ଖେଳିଥିଲେ । ଆଇପିଏଲ ୨୦୨୬ ପୂର୍ବରୁ ହୋଇଥିବା ଅକ୍ସନରେ ତାଙ୍କୁ ୨.୨ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ ।
ଅକ୍ଷତ ରଘୁବଂଶୀ ଭିନୁ ମଙ୍କଡ ଟ୍ରଫିରେ ମଧ୍ୟ ପ୍ରଦେଶର ଅଣ୍ଡର ୧୯ ଦଳର ଅଧିନାୟକ ହୋଇଥିଲେ । ଏହା ପରେ ୨୦୨୧-୨୨ ରଣଜୀ ସିଜିନରେ ସେ ନିଜ ପ୍ରତିଭାର ଯାଦୁ ଦେଖାଇଥିଲେ । ମେଘାଳୟ ବିପକ୍ଷ ମ୍ୟାଚରେ ଅକ୍ଷତ ରଘୁବଂଶୀ ନିଜ କ୍ୟାରିଅରର ପ୍ରଥମ ଶତକ ହାସଲ କରିଥିଲେ । ଅକ୍ଷତ ରଘୁବଂଶୀ ରୋହିତ ଶର୍ମାଙ୍କୁ ନିଜ ଆଦର୍ଶ ମାନୁଥିବାବେଳେ ରୋହିତ ଶର୍ମା ଖେଳୁଥିବା ମ୍ୟାଚରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି।