ଜୟପୁର/ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ପ୍ରସିଦ୍ଧ ଶିଳ୍ପପତି ଲକ୍ଷ୍ମୀ ନାରାୟଣ ମିତ୍ତଲ ଏବେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ମାଲିକ ହୋଇଛନ୍ତି। ପ୍ରାୟ ୧୫,୬୦୦ କୋଟି ଟଙ୍କାର ଏହି ବଡ଼ ଡିଲ୍ରେ ମିତ୍ତଲ ପରିବାର ଏବଂ ସେରମ ଇନଷ୍ଟିଚ୍ୟୁଟର ମାଲିକ ଅଦାର ପୁନାୱାଲା ମିଳିତ ଭାବେ ଫ୍ରାଞ୍ଚାଇଜ୍କୁ କିଣିଛନ୍ତି।
ମାଲିକାନା କାହା ପାଖରେ କେତେ?
ନୂଆ ଚୁକ୍ତି ଅନୁଯାୟୀ, ମିତ୍ତଲ ପରିବାର ପାଖରେ ୭୫ ପ୍ରତିଶତ ଅଂଶଧନ ରହିବ। ଅଦାର ପୁନାୱାଲା ୧୮ ପ୍ରତିଶତର ମାଲିକ ହେବେ ଏବଂ ବାକି ୭ ପ୍ରତିଶତ ପୂର୍ବତନ ମାଲିକ ମନୋଜ ବାଦାଲେଙ୍କ ପାଖରେ ରହିବ। ଦେଖିବାକୁ ବାକି ରହିଲା ମିତ୍ତଲଙ୍କ ମାଲିକାନାରେ ରାଜସ୍ଥାନ କିଭଳି ପ୍ରଦର୍ଶନ କରୁଛି।
ରାଜସ୍ଥାନ ସହ ପୁରୁଣା ସମ୍ପର୍କ
ଲକ୍ଷ୍ମୀ ମିତ୍ତଲ ନିଜେ ରାଜସ୍ଥାନର ସାଦୁଲପୁରରେ ଜନ୍ମଗ୍ରହଣ କରିଥିବାରୁ ଏହି ଟିମ୍ କିଣିବା ତାଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ସେ କହିଛନ୍ତି, "ମୁଁ କ୍ରିକେଟକୁ ବହୁତ ଭଲପାଏ ଏବଂ ମୋ ପରିବାର ରାଜସ୍ଥାନର, ତେଣୁ ରାଜସ୍ଥାନ ରୟାଲ୍ସ ସହ ଯୋଡ଼ି ହେବା ମୋ ପାଇଁ ଗର୍ବର ବିଷୟ।
ଏହି ଡିଲ୍ କେବଳ ଭାରତୀୟ ଟିମ୍ ପାଇଁ ନୁହେଁ, ବରଂ ଦକ୍ଷିଣ ଆଫ୍ରିକାର 'ପାର୍ଲ ରୟାଲ୍ସ' ଏବଂ କାରିବିୟନ୍ ଲିଗ୍ର 'ବାର୍ବାଡୋସ୍ ରୟାଲ୍ସ' ପାଇଁ ମଧ୍ୟ ଲାଗୁ ହେବ। ଚଳିତ ଆଇପିଏଲ୍ ସିଜିନରେ ରୟାଲ୍ସ ଭଲ ଫର୍ମରେ ଥିବା ବେଳେ ମାଲିକାନା ପରିବର୍ତ୍ତନ ଦଳ ପାଇଁ ନୂଆ ଉତ୍ସାହ ଆଣିବ ବୋଲି ଆଶା କରାଯାଉଛି।