ନୂଆ ବଲରେ ୱିକେଟ୍ ନେଇ ପ୍ରତିଦ୍ୱନ୍ଦୀଙ୍କୁ ଝଟକା ଦେଉଥିବା ଟ୍ରେଣ୍ଟ ବୋଲ୍ଟ ଏବେ ଆଉଟ ଅଫ ଫର୍ମ । ଏକଦା ଇନିଂସ ଆରମ୍ଭରୁ କ୍ରିକେଟ ମ୍ୟାଚ ସ୍କୋରକୁ ଫୁଟବଲ ସ୍କୋରରେ ପରିବର୍ତ୍ତନ କରିଦେଉଥିବା ବୋଲ୍ଟଙ୍କ ପ୍ରଦର୍ଶନ ଏବେ ମୁମ୍ବାଇ ପାଇଁ ଚିନ୍ତାର ବିଷୟ । ପାୱାରପ୍ଲେରେ ୱିକେଟ୍ ନେଇ ସର୍ବାଧିକ ୱିକେଟ୍ ତାଲିକାରେ ଶୀର୍ଷରେ ରହୁଥିବା ବୋଲ୍ଟ ଚଳିତ ସିଜିନ ପାୱାରପ୍ଲେରେ ଗୋଟେ ବି ୱିକେଟ୍ ନେଇନାହାନ୍ତି ।
ଚଳିତ ସିଜିନରେ ୫ ଟି ମ୍ୟାଚରେ ମାତ୍ର ୨ ଟି ୱିକେଟ୍ ନେଇଛନ୍ତି ଟ୍ରେଣ୍ଟ ବୋଲ୍ଟ। ସମ୍ପୂର୍ଣ୍ଣ ଆଇପିଏଲ ସିଜିନରେ ଟ୍ରେଣ୍ଟ ବୋଲ୍ଟଙ୍କ ଇକୋନୋମି ୮.୪୯ ଥିବାବେଳେ ଚଳିତ ସିଜିନର ଇକୋନୋମି ୧୧.୬୨ । ପାୱାରପ୍ଲେରେ ବୋଲ୍ଟ ୱିକେଟ୍ ନେଉନଥିବାରୁ ମୁମ୍ବାଇ ପାଇଁ ଚିନ୍ତା ବଢିଛି । ଅନ୍ୟପଟେ ଯଶପ୍ରୀତ ବୁମରା ମଧ୍ୟ ଫର୍ମରେ ନାହାନ୍ତି, ତେଣୁ ମୁମ୍ବାଇର ବୋଲିଂ ୟୁନିଟ ଦୁର୍ବଳ ହୋଇପଡିଛି ।
ମୁମ୍ବାଇର ବ୍ୟାଟିଂ ଓ ବୋଲିଂ ୟୁନିଟ ତାରକା ଖଚିତ, କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦଳକୁ ନେଇ ମାତ୍ର ୨ ଟି ମ୍ୟାଚ ଜିତିଛନ୍ତି । ତେବେ ଶୁଣିବାକୁ ମିଳୁଛି ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଅନେକ ଖେଳାଳି ଖୁସି ନାହାନ୍ତି । ମୁମ୍ବାଇ କ୍ୟାମ୍ପରେ ସବୁକିଛି ଠିକ ନଥିବା ଖବର ବେଶ ଚର୍ଚ୍ଚା ହେଉଛି । ଆଇପିଏଲ ଟ୍ରଫି ୫ ଥର ହାତେଇଥିବା ମୁମ୍ବାଇ ଗତ ୫ ବର୍ଷ ଧରି ଟ୍ରଫି ଥରି ଦୂରରେ ରହୁଛି । ତେବେ ମୁମ୍ବାଇର ଆଉ କେଉଁ ରଣନୀତି ବଦଳାଇବା ତାହା ଆଗାମୀ ଦିନରେ ଜଣା ପଡିବ, କିନ୍ତୁ ଚଳିତ ସିଜିନରେ ପ୍ଳେଅଫକୁ କ୍ୱାଲିଫାୟ କରିବା ମୁମ୍ବାଇ ପାଇଁ କଷ୍ଟକର ହେବ ।