ଦିଲ୍ଲୀ କ୍ୟାପିଟାଲ୍ସର ଓପନିଂ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଚଳିତ ସିଜିନରେ ଭଲ ଫର୍ମରେ ଅଛନ୍ତି । ଯଦିଓ ସେ ବ୍ୟକ୍ତିଗତ ସଫଳତା ଉପରେ ବେଶୀ ଦୃଷ୍ଟି ଦେବାକୁ ଚାହୁଁନାହାନ୍ତି । କିନ୍ତୁ ସେ ଟିମ ସଫଳତାରେ ଯୋଗଦାନ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଟାଇଟଲ୍ ବିନା ବ୍ୟକ୍ତିଗତ ସଫଳତାର କୌଣସି ମହତ୍ୱ ନଥାଏ । ତେଣୁ ତାଙ୍କର ଇଚ୍ଛା ସେ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ପାଞ୍ଚଟି ଆଇପିଏଲ ଟ୍ରଫି ଜିତି ତାଙ୍କ ସମାନ ହେବା ପାଇଁ ।
ନିକଟରେ କେଏଲ ରାହୁଲ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳିଙ୍କ ସୂଚୀରେ ଧୋନିଙ୍କୁ ପଛରେ ପକାଇଛନ୍ତି । ଧୋନିଙ୍କ ରନକୁ ପଛରେ ପକାଇବା କଥାରେ ରାହୁଲ କହିଛନ୍ତି ବ୍ୟକ୍ତିଗତ ସଫଳତା ପରିବର୍ତ୍ତେ ଟିମ ପାଇଁ ଯୋଗଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ରାହୁଲ ଏକ ଇଣ୍ଟରଭିଉରେ କହିଛନ୍ତି "ମତେ ଜଣା ନାହିଁ ମୁଁ କେତେବେଳେ ମାହି ଭାଇଙ୍କ ଆଗକୁ ଚାଲିଯାଇଛି । ବ୍ୟକ୍ତିଗତ ସଫଳତା ବହୁତ ଭଲ ଲାଗେ । ଏହା ଦ୍ୱାରା ଆମେ ଠିକ ରାସ୍ତା ଦେଇ ଯାଉଛେ ବୋଲି ଅନୁଭବ ହୁଏ । କିନ୍ତୁ ମତେ ସବୁଠାରୁ ଅଧିକ ଖୁସି ସେତେବେଳେ ଅନୁଭବ ହେବ ଯେତେବେଳେ ମୁଁ ଧୋନି ଯେତିକି ଆଇପିଏଲ ଟ୍ରଫି ଜିତିଛନ୍ତି ସେତିକି ଟ୍ରଫି ଯିତିବି ।"
ସେ ଆହୁରି ମଧ୍ୟ କହିଛନ୍ତି "ଯେତେବେଳେ ଆପଣଙ୍କ କ୍ୟାରିଅର ଲମ୍ବା ଥାଏ ସେତେବେଳେ ବ୍ୟକ୍ତିଗତ ମାଇଲଷ୍ଟୋନ ସ୍ପେଶାଲ ଅନୁଭବ ହୁଏ । ଏହା ଦର୍ଶାଏ କି ଆପଣଙ୍କ ପରିଶ୍ରମର ଫଳ ମିଳିଛି, କିନ୍ତୁ ଶେଷରେ କ୍ରିକେଟ ଗୋଟିଏ ଦଳଗତ ଖେଳ । ଆପଣ ଟ୍ରଫି ଜିତିବାକୁ ଚାହିଁବେ ଓ ଏକ ସଫଳ ଟିମ ହେବାକୁ ଚାହିଁବେ । ଏହା ହିଁ ମୋର ଲକ୍ଷ୍ୟ ।"