ଜୟପୁର: ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୨୬ ରନର ଟାର୍ଗେଟକୁ ପିଛା କରି ଇତିହାସ ସୃଷ୍ଟି କରିଛି। ଏହା ଇଣ୍ଡିଆନ୍ ପ୍ରିମିୟର ଲିଗରେ ଦିଲ୍ଲୀର ସର୍ବାଧିକ ସଫଳ ରନ ଚେଜ୍। କେଏଲ ରାହୁଲ ଏବଂ ପଥୁମ୍ ନିସାଙ୍କାଙ୍କ ଅର୍ଦ୍ଧଶତକ ଦମରେ ଦିଲ୍ଲୀ ଏହି ସଫଳତା ହାସଲ କରିଛି । ଅନ୍ୟପଟେ ରାଜସ୍ଥାନ ରୟାଲ୍ସର ଅଧିନାୟକର ରିୟାନ ପରାଗଙ୍କ ୯୦ ରନର ଇନିଂସ ବୃଥା ହୋଇଛି। ଆଇପିଏଲ ୨୦୨୬ରେ ପ୍ରଥମ ଥର ପାଇଁ ଖେଳୁଥିବା ମିଚେଲ ଷ୍ଟାର୍କ ତିନୋଟି ୱିକେଟ ନେଇ ଦଳ ବିଜୟରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଆଶୁତୋଷ ଶର୍ମା ଏବଂ ନୀତିଶ ରାଣା ମଧ୍ୟ ଛୋଟ ଇନିଂସ ସହିତ ଦିଲ୍ଲୀର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି ।
ଦିଲ୍ଲୀର ସର୍ବାଧିକ ରନ ଚେଜ୍
ହାଇସ୍କୋରିଂ ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ ସାତ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୨୫ ରନ କରିଥିଲା। କେଏଲ ରାହୁଲ ଏବଂ ପଥୁମ୍ ନିସାଙ୍କା ଏହି ଐତିହାସିକ ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଦୁହେଁ ୫୭ ବଲରେ ପ୍ରଥମ ୱିକେଟ ପାଇଁ ୧୧୦ ରନ ଯୋଡିଥିଲେ। ନିସାଙ୍କା ୩୩ ବଲରେ ୬୨ ରନର ଧମାକାଦାର ଇନିଂସ ଖେଳିଥିଲେ । ରାହୁଲ ୪୦ ବଲରେ ୭୫ ରନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଏହା ଆଇପିଏଲ ଇତିହାସରେ ଦିଲ୍ଲୀ କ୍ୟାପିଟାଲ୍ସର ସର୍ବାଧିକ ରନ ଚେଜ୍। ଏହା ପୂର୍ବରୁ ଦଳ ସର୍ବାଧିକ ରନ ପିଛା ୨୧୦ ରନ ଥିଲା, ଯାହା ଆଇପିଏଲ ୨୦୨୫ ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ହାସଲ କରାଯାଇଥିଲା।
୨୨୬ ରନ - ଦିଲ୍ଲୀ କ୍ୟାପିଟାଲ୍ସ (ବନାମ ଆରଆର)
୨୧୦ ରନ - ଦିଲ୍ଲୀ କ୍ୟାପିଟାଲ୍ସ (ବନାମ ଏଲଏସଜି)
ଇତିହାସ ରଚିଲେ କେଏଲ ରାହୁଲ
କେଏଲ ରାହୁଲ ଏହି ମ୍ୟାଚରେ ୪୦ ବଲରେ ୭୫ ରନ କରିଛନ୍ତି। ଏହା ସହିତ, ସେ ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୫୦+ ରନ କରିବାର ରେକର୍ଡର ସମକକ୍ଷ ହୋଇଥିଲେ। ଏହା ଆଇପିଏଲରେ ଅଷ୍ଟମ ଥର ରାହୁଲ ରାଜସ୍ଥାନ ବିପକ୍ଷରେ ୫୦ କିମ୍ବା ତା'ଠାରୁ ଅଧିକ ରନ କରିଛନ୍ତି। ତାଙ୍କ ପୂର୍ବରୁ, ଏବି ଡିଭିଲିୟର୍ସ ମଧ୍ୟ ଆଠ ଥର ଏପରି କରିଛନ୍ତି। ଶିଖର ଧାୱନ ଏବଂ ବିରାଟ କୋହଲି ନିଜ କ୍ୟାରିୟରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୫୦ କିମ୍ବା ତା 'ଠାରୁ ଅଧିକ ରନ କରିଛନ୍ତି।
ପଏଣ୍ଟ ଟେବୁଲ୍ ସ୍ଥିତି
ଲଗାତାର ୩ଟି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ବିଜୟ ଅତ୍ୟନ୍ତ ଜରୁରୀ ଥିଲା। ଏହି ବିଜୟ ସହ ଦିଲ୍ଲୀ ୯ଟି ମ୍ୟାଚରୁ ୪ଟି ଜିତି ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଛି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ୧୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।