ଆଇପିଏଲ ୨୦୨୬ ର ୪୨ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ୪ ୱିକେଟ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜୁରାଟର ବିଜୟ ଠାରୁ ରଜତ ପାଟିଦରଙ୍କ କ୍ୟାଚକୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ଆରସିବିର ଅଧିନାୟକ ରଜତ ପାଟିଦର ଆଉଟ ନୁହେଁ, ବରଂ ନଟଆଉଟ ଥିବା ଆରସିବିର ସମସ୍ତ ଖେଳାଳି କହୁଥିବାବେଳେ, ଏନେଇ ଅମ୍ପାୟାର ଅନିଲ ଚୌଧୁରୀ ନିଜ ମତ ରଖିଛନ୍ତି ଓ କହିଛନ୍ତି ଏହା ଆଉଟ ନୁହେଁ ।
ମ୍ୟାଚର ପ୍ରଥମ ଇନିଂସରେ ରଜତ ବ୍ୟାଟିଂ କରୁଥିବାବେଳେ ଅଷ୍ଟମ ଓଭରରେ ଅର୍ଶଦ ଖାନଙ୍କୁ ଏକ ସର୍ଟ-ପିଚ ବଲରେ ପୁଲ ସାର୍ଟ ଖେଳିଥିଲେ । ବଲଟି ଉପରକୁ ଉଠିଥିଲା ଓ ଜେସନ ହୋଲଡ଼ର କ୍ୟାଚ ଧରିଥିଲେ । କିନ୍ତୁ କ୍ୟାଚ ଧରିବା ପରେ ବଲ ଗ୍ରାଉଣ୍ଡରେ ସ୍ପର୍ଶ ହୋଇଥିବା ଦେଖିବାକୁ ମିଳିଥିଲା । ରଜତଙ୍କୁ ଆଉଟ ଘୋଷଣା କରିଥିଲେ ଅମ୍ପାୟାର, କିନ୍ତୁ ରିପ୍ଲେରେ କ୍ୟାଚ ସମାପ୍ତ ହେବାପୂର୍ବରୁ ଭୂମି ସହିତ ସ୍ପର୍ଶ ହୋଇଥିବା ନଜର ଆସୁଥିଲା । ଅମ୍ପାୟାର ରଜତଙ୍କୁ ଆଉଟ ଘୋଷଣା କରିଥିବାବେଳେ ବେଙ୍ଗାଲୁରୁ କ୍ୟାମ୍ପରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ଏହି ଘଟଣା ସମ୍ପର୍କରେ ଅମ୍ପାୟାର ଅନିଲ ଚୌଧୁରୀ ନିଜ ମତ ରଖିଛନ୍ତି ଓ ନିଜ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ କହିଛନ୍ତି କି ହୋଲଡ଼ର ଯେଉଁଭଳି କ୍ୟାଚ ଧରିଥିଲେ ତାହା ଦେଖି ସ୍ପଷ୍ଟ ନଜର ଆସୁଥିଲା କି ବଲ ଗ୍ରାଉଣ୍ଡ ଅର୍ଥାତ ଭୂମିକୁ ସ୍ପର୍ଶ କରୁଛି । ନିଜ ଶରୀରକୁ କଣ୍ଟ୍ରୋଲ କରିବାକୁ ଯାଇ ଭୂମିରେ ହାତ ଦେବା ସହ ବଲ ମଧ୍ୟ ଭୂମିରେ ସ୍ପର୍ଶ ହୋଇଛି । ଆଇସିସିର ନିୟମ ଅନୁଯାୟୀ ଯଦି କୌଣସି ଆଙ୍ଗୁଠି ବଲ ତଳେ ରହିଥାନ୍ତା ତେବେ ଏହାକୁ ଆଉଟ ବୋଲି କୁହାଯାଇଥାନ୍ତା । ଯେହେତୁ ବଲ ତଳେ ଆଙ୍ଗୁଠି ନାହିଁ ଓ ବଲ ଭୂମିକୁ ସ୍ପର୍ଶ କରୁଛି ତେଣୁ ଏହା ନଟଆଉଟ ବୋଲି ଘୋଷଣା କରିବା କଥା ।