ନୂଆଦିଲ୍ଲୀ: ଗତ ପ୍ରାୟ ତିନି ସପ୍ତାହ ଧରି ଆସାମ ପୋଲିସର ଗିରଫଦାରୀକୁ ବର୍ତ୍ତିବା ପାଇଁ ଏପଟ ସେପଟ ଧାଁ ଦଉଡ କରୁଥିବା ପବନ ଖେଡାଙ୍କୁ ସୁପ୍ରିମକୋର୍ଟ ବଡ ଆଶ୍ୱସ୍ତି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନ ଉପରେ ଶୁଣାଣି କରି ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଏଏସ ଚନ୍ଦୁରକରଙ୍କ ଖଣ୍ଡପୀଠ ଗୌହାଟୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି କଂଗ୍ରେସ ମୁଖପାତ୍ରଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ବଡ ଝଟକା ଦେଇଛି ।
କଂଗ୍ରେସ ନେତାଙ୍କୁ ଜାମିନ ଦେବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଲାଗୁଛି ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏମିତି ସ୍ଥିତିରେ ପବନ ଖେଡାଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ରକ୍ଷା କରାଯିବାର ଆବଶ୍ୟକତା ରହିଛି । ଅଦାଲତ କହିଛନ୍ତି, ଆରୋପ ପ୍ରତ୍ୟାରୋପ ପ୍ରଥମ ଦୃଷ୍ଟତାରୁ ରାଜନୈତିକ ପ୍ରେରିତ ରହିଛି । ଏହା ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାରୁ ଉତ୍ପନ କେସ । ଏଥିରେ ସେମିତି ଜରୁରୀ ନୁହେଁ ଯେ ପୋଲିସ ହେପାଜତକୁ ନେଇ ପଚରା ଉଚୁରା କରିବା ଦରକାର ।
ଏହି ମାମଲାର ଶୁଣାଣି ସମୟରେ ପବନ ଖେଡାଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି ପ୍ରଶ୍ନ ଉଠାଇଥିଲେ ଯେ, ଏହି ମାମଲାରେ ମୋ ମହକିଲଙ୍କୁ ହେପାଜତରେ ନେବାର କଣ ଆବଶ୍ୟକତା ରହିଛି । ଯେଉଁ ସାମଗ୍ରୀ ସାମ୍ବାଦିକ ସମ୍ମିଳନୀରେ ପବନ ଖେଡା ଦେଖାଇଥିଲେ, ତାହା ତ ପୂର୍ବରୁ ପ୍ରଶାସନ ପାଖରେ ଅଛି । ଏମିତିରେ ଅଟକ ରଖି ପଚରାଉଚୁରା କରିବା ବେଆଇନ ପରି ଲାଗୁଛି । ଏସବୁ ଅଭିଯୋଗ ରାଜନୈତିକ ପ୍ରଚାର ସମୟରେ ଲଗାଯାଇଥିଲା । ଏହାକୁ ନେଇ ଗିରଫଦାରୀ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ହିଁ ନାହିଁ । ତାଙ୍କର ଏହି ଦଲିଲକୁ ଆସାମ ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା ବିରୋଧ କରିଥିଲେ । ସେ କହିଥିଲେ ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିବା ଦସ୍ତାବିଜ ନକଲି ।
ଏମିତିରେ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି ଯେ, ଏହି ଦସ୍ତାବିଜ କେଉଁଠୁ ଅଣା ଯାଇଥିଲା । କେଉଁ ଲୋକଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି, ପୂରା ମାମଲା ନିର୍ବାଚନ ସମୟର । ଏଥିରେ ଆରୋପ ଓ ପ୍ରତ୍ୟାରୋପ ଚାଲିଛି । ଏମିତି ସ୍ଥିତିରେ ଏହି ମାମଲା ଏମିତି ଲାଗୁନି ଯେ, ପବନ ଖେଡାଙ୍କୁ ପୋଲିସ ହେପାଜତକୁ ନେଇ ପଚରା ଉଚୁରା କରାଯିବା ଜରୁରୀ । ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ପବନ ଖେଡାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ସାର୍ବଜନୀନ ଭାବେ ବୟାନ ଦେଇଛନ୍ତି । ଏହା ବ୍ୟତୀତ ଯେଉଁ ସବୁ ରେକର୍ଡ ଓ ଦସ୍ତାବିଜ ରହିଛି ତାହା ଦର୍ଶାଉଛି ଯେ, ପୂରା ମାମଲା ପଛରେ କେବଳ ରାଜନୀତି ହିଁ ରହିଛି ।