ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସବୁଠୁ ହାଇପ୍ରୋଫାଇଲ ସିଟ୍ ମଧ୍ୟରୁ ଅନ୍ୟତମ ଭବାନୀପୁର ନିର୍ବାଚନମଣ୍ଡଳୀ । ଏହି ସିଟକୁ ନେଇ ସଂପୂର୍ଣ୍ଣ ଆଲର୍ଟ ମୋଡରେ ରହିଛି ନିର୍ବାଚନ ଆୟୋଗ । ଏହି ଆସନରେ ସିଧାସଳଖ ମୁକାବିଲା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ହେଉଛି । ଗତ ରାତିରେ ଘଟିଥିବା ଉତ୍ତେଜନା ପରେ କୋଲକାତା ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମତଗଣନା କେନ୍ଦ୍ର ଓ ଇଭିଏମ ଷ୍ଟ୍ରଙ୍ଗ ରୁମ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରଶାସନ ଏଠାରେ ଧାରା ୧୬୩ ଲାଗୁ କରିଛି ।
ଘଟଣା କଣ ?
ଭବାନୀପୁର ନିର୍ବାଚନ ମଣ୍ଡଳୀରେ ମତଦାନ ପରେ ସବୁ ଇଭିଏମକୁ ଶେଖାୱତ ମେମୋରିୟାଲ ସ୍କୁଲରେ ରଖାଯାଇଛି । ଏହି ସ୍କୁଲକୁ ମତଗଣନା କେନ୍ଦ୍ର ଓ ଇଭିଏମର ଷ୍ଟ୍ରଙ୍ଗ ରୁମ ଭାବେ ସ୍ଥାପନ କରାଯାଇଛି । ତେବେ ଗତକାଲି ରାତିରେ ଷ୍ଟ୍ରଙ୍ଗ ରୁମ ବାହାରେ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ ହୋଇଥିଲା । ଏଠାରେ ଉଭୟ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଟିଏମସି କର୍ମୀ ଧାରଣାରେ ବସି ପ୍ରତିବାଦ କରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରାୟ ଚାରି ଘଣ୍ଟା ଧରି ଏଠାରେ ରହିଥିଲେ । ଏହା ପରେ ମାହୋଲ ଶାନ୍ତ ପଡିଥିଲା ।
ପ୍ରଶାସନ ଦ୍ୱାରା ଉଠାଯାଇଥିବା ପଦକ୍ଷେପ
ଧାରା ୧୬୩ ଲାଗୁ- ଉତ୍ତେଜନାମୂଳକ ସ୍ଥିତିର ସୂଚନା ମିଳିବା ମାକ୍କେ କୋଲକାତା ପୋଲିସ ଶେଖାୱତ ମେମୋରିୟାଲ ସ୍କୁଲ ବାହାରେ ଏବଂ ଆଖପାଖ କ୍ଷେତ୍ରରେ ବିଏନଏସର ଧାରା ୧୬୩ ଲାଗୁ କରିଛି ।
ସୁକ୍ଷା କଡାକଡି- ଷ୍ଟ୍ରଙ୍ଗ ରୁମର ସୁରକ୍ଷାକୁ ଅନେକ ଗୁଣ ବଢାଇ ଦିଆଯାଇଛି । ଅତିରିକ୍ତ ପୋଲିସ ବଳ ଓ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି ।
ଅନାଧିକୃତ ପ୍ରବେଶ ଉପରେ ରୋକ୍- ସ୍କୁଲର ଆଖପାଖ ଏକ ମଜବୁତ ସୁରକ୍ଷା ଘେରା ତିଆରି କରାଯାଇଛି । କୌଣସି ବି ଅନାଧିକୃତ ବ୍ୟକ୍ତି କିମ୍ବା ବାହାନର ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି ।