ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ବିଜେପିର ବହୁମତ ପରେ ସରକାର ଗଠନ ପ୍ରକ୍ରିୟା ଜୋରଦାର ହୋଇଛି। ବିଧାୟକ ଦଳର ନେତା ଚୟନ ପାଇଁ ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପଶ୍ଚିମବଙ୍ଗ ପାଇଁ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ (Co-observer) ଦାୟିତ୍ୱ ଦିଆଯାଇଛି। ଦୁଇ ନେତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ଏବଂ ସରକାର ଗଠନ ପ୍ରକ୍ରିୟାର ତଦାରଖ କରିବେ।
ଆସାମ ପାଇଁ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେପି ନଡ୍ଡାଙ୍କୁ ଆସାମ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେ ଆସାମ ବିଧାୟକ ଦଳର ନେତା ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବେ।ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀଙ୍କୁ ଆସାମ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି।
ପଶ୍ଚିମବଙ୍ଗର ୨୯୪ଟି ଆସନ ମଧ୍ୟରୁ ବିଜେପି ୨୦୭ଟି ଆସନ ଜିତି ଏକ ଐତିହାସିକ ବିଜୟ ହାସଲ କରିଛି।ପଶ୍ଚିମବଙ୍ଗରେ ନୂଆ ବିଜେପି ସରକାର ଆସନ୍ତା ମେ ୯ ତାରିଖରେ ଶପଥ ଗ୍ରହଣ କରିବେ। ଏହି ପର୍ଯ୍ୟବେକ୍ଷକମାନେ ନବ ନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବେ।
ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ଏହି ନାମଗୁଡ଼ିକୁ ଅନୁମୋଦନ କରାଯାଇଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ହରାଇବା ପରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଥିବାବେଳେ, ଅମିତ ଶାହଙ୍କ ଗସ୍ତ ପରେ ଏହି ସସପେନ୍ସ ଶେଷ ହେବାର ସମ୍ଭାବନା ରହିଛି।