ବେଙ୍ଗାଲୁରୁ: ତାମିଲନାଡ଼ୁରେ ବିଜୟଙ୍କ ଦଳ ଟିଭିକେ ସର୍ବାଧିକ ଆସନ ହାତେଇ ଥିଲେ ସୁଦ୍ଧା ସରକାର ଗଢ଼ିବାକୁ ଅକ୍ଷମ । ତାମିଲନାଡ଼ୁରେ ଝୁଲା ସରକାର ହେବାଟା ଥୟ । ମଙ୍ଗଳବାର ଟିଭିକେର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କାହା ସହିତ ଦଳ ମେଣ୍ଟ କରିବା ବିଚାର ବିମର୍ଶ ମଧ୍ୟରେ କଂଗ୍ରେସର ନାମ ସାମ୍ନାକୁ ଆସିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଟିଭିକେ ମୁଖ୍ୟାଳୟରେ ଆଜି ସମସ୍ତ ନବନିର୍ବାଚିତ ସଦସ୍ୟମାନେ ଏକାଠି ହୋଇଥିଲେ । ମେଣ୍ଟ ନେଇ ଆଲୋଚନା ହୋଇଛି । ଟିଭିକେ କଂଗ୍ରେସ ସହିତ ହାତ ମିଳାଇବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି । ତାମିଲନାଡ଼ୁର ୨୩୪ ବିଶିଷ୍ଟ ଆସନ ପାଇଁ ମ୍ୟାଜିକ ନମ୍ବର ୧୧୮ ଛୁଇଁବାକୁ ହେଲେ ଟିଭିକେକୁ ଆଉ ୧୧ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ପଡ଼ୁଛି । ତେବେ ଏଥିରେ କଂଗ୍ରେସ ୫, ବିସିକେ ୨ ଏବଂ ସିପିଆଇ ୨ ଜଣ ବିଧାୟକ ସାମିଲ ହେବେ । ଏହି ଦଳ ଗୁଡ଼ିକ ସହିତ ଟିଭିକେର ଔପଚାରିକ ଆଲୋଚନା ଜାରି ରହିଛି ।
ଅନ୍ୟପକ୍ଷରେ ଡିଏମକେ ନେତା ଷ୍ଟାଲିନ୍ ଡାକିଥିବା ଆଜିର ବୈଠକରେ ମଧ୍ୟ କଂଗ୍ରେସ ସାମିଲ ହୋଇନଥିବା ଜଣାପଡ଼ିଛି । କଂଗ୍ରେସ ନିଜକୁ ଏହି ବୈଠକରୁ ଦୂରେଇ ରଖିଛି ।
ବିସିକେ ପ୍ରମୁଖ ଥୋଲ ଥିରୁମାବଲବନ କହିଛନ୍ତି ଯେ ଜନତା ମେଣ୍ଟ ସରକାର ଚାହୁଁଚି । ଆମେ ଏବଂ ବାମଦଳ ରାଜ୍ୟରେ ଧର୍ମ ନିରପେକ୍ଷ ମୋର୍ଚ୍ଚା ଭାବରେ କାମ କରିବୁ । ଟିଭିକେ ମୁଖ୍ୟ ବିଜୟ ମଧ୍ୟ ନିର୍ବାଚନ ପ୍ରଚାର ସମୟରେ ମେଣ୍ଟ ସରକାର ବିଚାରକୁ ସମର୍ଥନ କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ତାମିଲନାଡ଼ୁ ନିର୍ବାଚନରେ ୨୩୪ ଆସନରୁ ଟିଭିକେ ୧୦୮, ଡିଏମକେ ୭୩ ଏବଂ ଏଆଇଏଡିଏମକେକୁ ୫୩ ଆସନ ମିଳିଛି ।
ଅଧିକ ପଢ଼ନ୍ତୁ:- ପର ଘରେ ଝାଡ଼ୁ ମାରୁଥିବା କାଲିତା ଯିବେ ବିଧାନସଭା, ଟିକେଟ୍ ମିଳିବା ପରେ ମଧ୍ୟ ଛାଡ଼ି ନଥିଲେ କାମ