ତାମିଲନାଡୁ: ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ମାଲିକ, ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁ ନିର୍ବଚନରେ। କାରଣ ଏଠାରେ ଜଣେ ଅଟୋ ଡ୍ରାଇଭର ଏପରି କିଛି କରି ଦେଖାଇଛନ୍ତି ଯାହାକୁ ହେଭିୱେଟ୍ ନେତାମାନେ କେବେ କଳ୍ପନା ବି କରିନଥିଲେ। ଟିଭିକେର ପ୍ରାର୍ଥୀ ବିଜୟ ଧାମୁ ଏହି ଆସନରେ ବିଜୟୀ ହୋଇଛନ୍ତି। ବିଜୟ ଧାମୁଙ୍କ ବିଜୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ପେଶାରେ ସେ ଜଣେ ଅଟୋ ଡ୍ରାଇଭର। ତାଙ୍କର ରାଜନୈତିକ ଯାତ୍ରା କୌଣସି ଫିଲ୍ମ ସ୍କ୍ରିପ୍ଟଠାରୁ କମ୍ ନୁହେଁ।
ଜଣେ ସାଧାରଣ ଅଟୋ ଡ୍ରାଇଭରଙ୍କୁ ଗୁରୁତ୍ୱପୂର୍ଣ୍ଣ ରୟାପୁରମ ନିର୍ବାଚନମଣ୍ଡଳୀରୁ ଟିଭିକେ ପ୍ରାର୍ଥୀ କରିଥିଲା। ବିଜୟଙ୍କ ଦଳରୁ ଟିକେଟ ପାଇଥିବା ଏହି ଅଟୋ ଡ୍ରାଇଭର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୧୪,୦୦୦ ଭୋଟ ବ୍ୟବଧାନରେ ଜିତିଛନ୍ତି। ସବୁଠୁ ବଡ କଥା ହେଉଛି, ରୟାପୁରମ ନିର୍ବାଚନମଣ୍ଡଳୀରେ ହେଭିୱେଟଙ୍କୁ ପରାସ୍ତ କରି ସେ ଏକ ବଡ ବିଜୟ ହାସଲ କରିଛନ୍ତି।
ଭାରୀ ରାଜନୈତିକ ପୃଷ୍ଠଭୂମି, ଅନୁଭବ ଓ ପ୍ରଭାବଶାଳୀ ନେତାଙ୍କୁ ପଛକୁ ପକାଇ ଏହି ଭୋଟରେ ଜିତିଛନ୍ତି ଧାମୁ। ପାଞ୍ଚଥରର ବିଧାୟକ D. ଜୟକୁମାର ଓ ପୂର୍ବତନ ମନ୍ତ୍ରୀ ରହମାନ ଖାନଙ୍କ ପୁଅ ସୁବୈର ଖାନଙ୍କ ଭଳି ନାମୀ ନେତାଙ୍କୁ ପରାସ୍ତ କରି ସେ ପ୍ରମାଣ କରିଦେଲେ “ପଦବୀ ନୁହେଁ, ପ୍ରତିଶ୍ରୁତି ଓ ବିଶ୍ୱାସ ଜିତେ। ଦୁଇ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ପରାଜୟ କରିବା ପରେ ଧାମୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା...
ଥରେ କଳ୍ପନା କରନ୍ତୁ, ଗୋଟିଏ ପଟେ ବର୍ଷ ବର୍ଷର ଅଭିଜ୍ଞତା, ଏକ ବିଶାଳ ରାଜନୈତିକ ଐତିହ୍ୟ ଏବଂ ଏକ ପ୍ରମୁଖ ଦଳର ଟ୍ୟାଗ୍ ସହିତ ପ୍ରମୁଖ ନେତାମାନେ ଥିଲେ। ଆଉ ଅନ୍ୟ ପଟେ ବିଜୟ ଧାମୁ ଥିଲେ, ଯାହାଙ୍କ ପାଖରେ କେବଳ ଲୋକଙ୍କ ବିଶ୍ୱାସ ଏବଂ ପ୍ରତିଦିନ ରାସ୍ତାରେ ସେ ଚଲାଉଥିବା ଅଟୋ ରିକ୍ସା ଟିଏ ଥିଲା। ଏଥର, ରୟାପୁରମର ଲୋକମାନେ କୌଣସି ପ୍ରମୁଖ ବ୍ୟକ୍ତିଙ୍କୁ ନୁହେଁ, ବରଂ ସେମାନଙ୍କ ମଧ୍ୟରେ ରହୁଥିବା ଜଣେ ସାଧାରଣ ଲୋକଙ୍କୁ ବାଛିଥିଲେ।
ଅଭିନେତା ବିଜୟଙ୍କ ଦଳ, ଟିଭିକେ, ତାମିଲନାଡୁ ରାଜନୀତିରେ ପ୍ରବେଶ କରି ସମଗ୍ର ରାଜ୍ୟକୁ ଦୋହଲେଇଦେଇଛି। ବିଜୟ ଧାମୁଙ୍କ ବିଜୟ ଏବେ ତାମିଲନାଡୁର ନୂତନ ରାଜନୈତିକ ଦୃଶ୍ୟପଟର ପ୍ରମୁଖ ପରିଚୟ ପାଲଟିଛି। ଏହା କେବଳ ଏକ ନିର୍ବାଚନୀ ଫଳ ନୁହେଁ, ଏହା ଗୋଟିଏ ସନ୍ଦେଶ “ଗଣତନ୍ତ୍ରରେ ପ୍ରକୃତ ନାୟକ ହେଉଛନ୍ତି ସାଧାରଣ ଲୋକ।
ଅଧିକ ପଢନ୍ତୁ: ତାମିଲନାଡୁ ଟ୍ରେଣ୍ଡ ପରିବର୍ତ୍ତନ କଲା ବିଜୟଙ୍କ ଦଳ ଟିଭିକେ; ସବୁଠାରୁ ବଡ଼ ଦଳ ପାଲଟିଲା