ଆଇପିଏଲ ୨୦୨୬ ରେ ମୁମ୍ବାଇ ଏକ ବଡ ବିଜୟ ହାସଲ କରିଛି । ଖରାପ ଫର୍ମ ଦେଇ ଗତି କରୁଥିବା ଏହି ଚାମ୍ପିଅନ ଦଳ ୱାଙ୍ଖେଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୬ ୱିକେଟ୍ ରେ ପରାସ୍ତ କରିଛି। ମୁମ୍ବାଇର ଏହି ବିଜୟ ପରେ ଦୀପକ ଚହରଙ୍କ ଭଉଣୀ ମାଳତୀ ଚହର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୫ ୱିକେଟ୍ ହରାଇ ୨୨୮ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇର ଦୁଇ ଓପନର ରାୟନ ରିକଲଟନ (୩୨ ବଲରେ ୮୩ ରନ) ଓ ରୋହିତ ଶର୍ମା (୪୪ ବଲରେ ୮୪ ରନ) ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ମ୍ୟାଚକୁ ଏକତରଫା କରିଦେଇଥିଲେ । ୧୮.୪ ଓଭରରେ ମୁମ୍ବାଇ ମ୍ୟାଚ ଜିତିଥିଲା । ଏହି ବିଜୟ ସହ ମୁମ୍ବାଇର ପ୍ଲେଅଫ ଆଶା ମଧ୍ୟ ଜୀବିତ ରହିଛି।
ମ୍ୟାଚ ପରେ, ମୁମ୍ବାଇର ଦ୍ରୁତ ବୋଲର ଦୀପକ ଚହରଙ୍କ ଭଉଣୀ ମାଳତୀ ଚହର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ମୁମ୍ବାଇ ଇଂଡିଆନ୍ସର ପ୍ରଶଂସା କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ ଲେଖିଛନ୍ତି "ଏହା ପୁଣି ଥରେ ମୁମ୍ବାଇ ଇଂଡିଆନ୍ସ ଭଳି ଅନୁଭବ ହୋଇଛି । ଦଳର ପ୍ରାୟତଃ ସମସ୍ତେ ଭଲ ପ୍ରଦର୍ଶନ କରିଛନ୍ତି । ରାୟନ ଓ ରୋହିତ ଭାଇ ବହୁତ ଭଲ ଖେଳିଛନ୍ତି । ସୂର୍ଯ୍ୟକୁମାରଙ୍କ କ୍ୟାପିଟେନ୍ସି ମଧ୍ୟ ଚମତ୍କାର ଥିଲା । ଦୀପକ ମଧ୍ୟ ଚମତ୍କାର ୪ ଓଭର ବୋଲିଂ କରିଥିଲେ । ଏହା ଏକ ଦଳଗତ ବିଜୟ । ଏହା ହେଉଛି ମୁମ୍ବାଇ ଇଂଡିଆନ୍ସ।"