ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଜି ୩୯ ତମ ଜନ୍ମ ଦିନ ପାଳନ କରୁଛନ୍ତି। ୩୦ ଏପ୍ରିଲ ୧୯୮୭ ରେ ଜନ୍ମଗ୍ରହଣ କରିଥିବା ରୋହିତ ଗୁରୁନାଥ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ହିଟମ୍ୟାନ ଭାବରେ ବେଶ ପରିଚିତ । ଭାରତୀୟ କ୍ରିକେଟ ପାଇଁ ଅନେକ ସଫଳତା ଆଣିଛନ୍ତି ହିଟମ୍ୟାନ, ଯେଉଁଥିରେ ଟି-୨୦ ବିଶ୍ୱକପ ସହ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ସାମିଲ ରହିଛି। ଜଣେ ଭଲ କ୍ରିକେଟର ସହ ବ୍ୟକ୍ତିଗତ ଜୀବନରେ ତାଙ୍କ ନିର୍ମଳ ମନୋଭାବକୁ ନେଇ ଅନେକ ଖେଳାଳି ତାଙ୍କ ପ୍ରଶଂସା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ରେକର୍ଡ କରିଥିବା ରୋହିତ କିଛି ଏଭଳି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା ବେଶ କଷ୍ଟକର । ତେବେ ଆସନ୍ତୁ ନଜର ପକାଇବା କେଉଁ ସବୁ ରେକର୍ଡ କରିଛନ୍ତି ରୋହିତ ।
ଦିନିକିଆ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର: ୨୬୪
୨୦୧୪ ମସିହାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୧୭୩ ବଲରେ ୨୬୪ ରନ ସଂଗ୍ରହ କରିଥିଲେ ରୋହିତ । ଏହି ଇନିଂସରେ ୩୩ ଚୌକା ଓ ୯ ଟି ଛକା ମାରିଥିଲେ ରୋହିତ । ଏହି ରେକର୍ଡକୁ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ମଧ୍ୟ ଏହି ରେକର୍ଡ ଭାଙ୍ଗିବା କଷ୍ଟକର ବୋଲି ଅନେକ କ୍ରିକେଟ ବିଶେଷଜ୍ଞ ମତ ଦେଇଛନ୍ତି ।
ଦିନିକିଆ କ୍ରିକେଟରେ ତିନୋଟି ଦ୍ୱିଶତକ
ଦିନିକିଆ କ୍ରିକେଟରେ ସଚିନ ତେନ୍ଦୁଲକର ପ୍ରଥମ ଦ୍ୱିଶତକ ହାସଲ କରିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣ ବ୍ୟାଟ୍ସମ୍ୟାନ ଏହି କୀର୍ତ୍ତିମାନ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ରୋହିତ ଶର୍ମା ଏକ ମାତ୍ର ଖେଳାଳି ଯିଏ ଦିନିକିଆ କ୍ରିକେଟରେ ୩ ଟି ଦ୍ୱିଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨ ନଭେମ୍ବର ୨୦୧୩ ରେ ୨୦୯ ରନ, ଶ୍ରୀଲଙ୍କା ବିପକ୍ଷରେ ୧୩ ନଭେମ୍ବର ୨୦୧୪ ରେ ୨୬୪ ରନ ଓ ୧୩ ଡିସେମ୍ବର ୨୦୧୭ ରେ ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନ ସହ ୩ ଟି ଦ୍ୱିଶତକ ହାସଲ କରିଛନ୍ତି ।
ଗୋଟିଏ ବିଶ୍ୱକପ ସଂସ୍କରଣରେ ସର୍ବାଧିକ ଶତକ
ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ ରେ ରୋହିତ ଶର୍ମା କେବଳ ୯ ଟି ଇନିଂସରେ ୫ ଟି ଶତକ କରିଥିଲେ। ୫ ଟି ଶତକ ସହ ଗୋଟିଏ ବିଶ୍ୱକପ ସଂସ୍କରଣରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ରୋହିତଙ୍କ ନାମରେ ରହିଛି। ଏହା ବ୍ୟତୀତ, ତାଙ୍କ ନାମରେ ମୋଟ ୭ ଟି ବିଶ୍ୱକପ ଶତକ ରହିଛି, ଯାହା କୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ।
ଅଧିନାୟକ ଭାବରେ ଗୋଟିଏ ବର୍ଷ ଭିତରେ ଦୁଇଟି ଆଇସିସି ଟ୍ରଫି
ରୋହିତ ଶର୍ମା ଜଣ ଦକ୍ଷ ବ୍ୟାଟର ସହିତ ଜଣେ ଅଭିଜ୍ଞ ଅଧିନାୟକ ମଧ୍ୟ । ତାଙ୍କ ନେତୃତ୍ୱରେ ଭାରତ ୨୦ ଅକ୍ଟୋବର ୨୦୨୪ ରେ ଟି-୨୦ ବିଶ୍ୱକପ ଜିତିଥିଲା ଓ ଏହାର ଠିକ ପାଞ୍ଚ ମାସ ଭିତରେ ୫ ମାର୍ଚ୍ଚ ୨୦୨୫ ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା ଭାରତ । ଗୋଟିଏ ବର୍ଷର ବ୍ୟବଧାନ ଭିତରେ ଦୁଇଟି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଥିଲେ ରୋହିତ ।
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା
ରୋହିତ ଶର୍ମା ବିଶ୍ୱର ପ୍ରତିଟି ଗ୍ରାଉଣ୍ଡରେ ସହଜର ସହ ଛକା ମାରିବାରେ ସଫଳ ହେଉଥିବାରୁ ତାଙ୍କୁ 'ହିଟମ୍ୟାନ' ର ଆଖ୍ୟା ଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟରେ ସମୁଦାୟ ୬୫୦ ଟି ଛକା ମାରିଛନ୍ତି ରୋହିତ । ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ଥିବା କ୍ରିସ ଗେଲ ୯୭ ଛକା ପଛରେ ଅଛନ୍ତି।