ରିଷଭ ପନ୍ତଙ୍କ ପ୍ରତିନିଧିତ୍ଵରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଆଉ ଏକ ପରାଜୟର ସାମ୍ନା କରିବାକୁ ପଡିଛି । କୋଲକାତା ବିପକ୍ଷ ମ୍ୟାଚରେ ସୁପର ଓଭରରେ ପରାସ୍ତ ହୋଇଛି ଲକ୍ଷ୍ନୌ। ୧୫୬ ରନର ଟାର୍ଗେଟକୁ ଚେଜ କରିବାରେ ଅସଫଳ ରହିଥିଲା ଲକ୍ଷ୍ନୌ ଓ ଏହି ପରାଜୟ ସହ ଚଳିତ ସିଜିନରେ ଲଗାତାର ପଞ୍ଚମ ଥର ପାଇଁ ପରାଜିତ ହୋଇଛି । ୮ ଟି ମ୍ୟାଚରୁ ୬ ଟି ପରାଜୟ ସହ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି ଲକ୍ଷ୍ନୌ ।
ଲକ୍ଷ୍ନୌର ପ୍ରଦର୍ଶନ ଘରୋଇ ମୈଦାନରେ ମଧ୍ୟ ଅତ୍ୟନ୍ତ ନିରାଶାଜନକ । ଗତ ବର୍ଷଠାରୁ ଲଗାତାର ଆଠଟି ଘରୋଇ ମ୍ୟାଚରେ ପରାସ୍ତ ହୋଇଛି ଲକ୍ଷ୍ନୌ । ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ୨୨ ଟି ମ୍ୟାଚରୁ ୧୪ ଟି ମ୍ୟାଚରେ ପରାଜିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ଭାରତୀୟ କ୍ରିକେଟର ୱାସିମ୍ ଜାଫର ପନ୍ତଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳି ଲକ୍ଷ୍ନୌ ପାଇଁ ପ୍ରତିନିଧିତ୍ଵ କଲେ ଦଳ ପାଇଁ ଲାଭବାନ ହେବ ବୋଲି କହିଛନ୍ତି । ଏହା ସହ ଏଇଡେନ ମାର୍କରମଙ୍କୁ ଦଳର ଅଧିନାୟକ କରିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି।
ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌର ବ୍ୟାଟିଂ ୟୁନିଟ ସଂଘର୍ଷ କରୁଛି । ଏହା ସହ ପନ୍ତ ନିଜେ ମଧ୍ୟ ଚାପରେ ବ୍ୟାଟିଂ କରୁଥିବା ଭଳି ନଜର ଆସୁଛନ୍ତି । ୱାସିମ୍ ଜାଫରଙ୍କ କହିବା ଅନୁଯାୟୀ ପନ୍ତ ସବୁବେଳେ ନିର୍ଭୟର ସହ ବିସ୍ଫୋରକ ଇନିଂସ ଖେଳନ୍ତି, ଲକ୍ଷ୍ନୌର ଅଧିନାୟକ ଭାର ତାଙ୍କ ଉପରେ ଆସିବା ପରଠାରୁ ତାଙ୍କ ବ୍ୟାଟିଂ ପ୍ରଭାବିତ ହୋଇଛି । ୨୦୨୫ ରେ ଲକ୍ଷ୍ନୌର ଅଧିନାୟକ ହେବା ପରେ ସେହି ସିଜିନରେ ୧୪ ଟି ମ୍ୟାଚରେ ୨୬୯ ରନ ସଂଗ୍ରହ କରିଥିଲେ ପନ୍ତ, ଯେଉଁଥିରେ ଲିଗର ଶେଷ ମ୍ୟାଚରେ ଏକ ଶତକ ମଧ୍ୟ ସାମିଲ ଥିଲା। ଚଳିତ ସିଜିନରେ ୮ ଟି ମ୍ୟାଚରେ ୧୮୯ ରନ ସଂଗ୍ରହ କରିଛନ୍ତି ପନ୍ତ ।
ୱାସିମ୍ ଜାଫର ନିଜ ୟୁଟ୍ୟୁବ ଚ୍ୟାନେଲରେ ଏହି ପ୍ରସଙ୍ଗରେ କହିଛନ୍ତି
"ମୁଁ ଭାବୁଛି ପନ୍ତ ଜଣେ ଭଲ ବ୍ୟାଟର, ଯଦି ଆପଣ ତାଙ୍କୁ ଚାପ ମୁକ୍ତ କରି ପଡିଆକୁ ଛାଡ଼ିବେ ଓ ମ୍ୟାଚ ଜିତାଇବା ପାଇଁ କହିବେ ତେବେ ସେ ବହୁତ ଭଲ ପ୍ରଦର୍ଶନ କରିବେ । ତାଙ୍କ ଉପରେ ପ୍ରତିନିଧିତ୍ଵର ଭାର ଲଦି ଦିଅନ୍ତୁ ନାହିଁ । ମୋ ଅନୁଯାୟୀ ଏଇଡେନ ମାର୍କରମ ଜଣେ ଦକ୍ଷ ଅଧିନାୟକ । ସେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଭାବେ ଅନେକ ସଫଳତା ହାସଲ କରିଛନ୍ତି। ମାର୍କରମ ଜଣେ ଭଲ ଅଧିନାୟକ ଓ ଲକ୍ଷ୍ନୌର ପ୍ରତିନିଧିତ୍ଵ ଭାର ସମ୍ଭାଳିବା ପାଇଁ ଯୋଗ୍ୟ । ତେବେ ଏଭଳି ଘଟଣା ଘଟିବାର କୌଣସି ସମ୍ଭାବନା ନାହିଁ କିନ୍ତୁ ଏହା କେବଳ ମୋର ପରାମର୍ଶ । ଯଦି ମୁଁ ଲକ୍ଷ୍ନୌ ମ୍ୟାନେଜମେଣ୍ଟରେ ଥାଆନ୍ତି ତେବେ ନିଶ୍ଚିତ ମୁଁ ଏହି ନିଷ୍ପତି ନେଇଥାନ୍ତି ।"