ଆଇପିଏଲ ୨୦୨୬ ର ୩୮ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡ଼ର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ଏକନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚର ନିର୍ଣ୍ଣୟ ସୁପର ଓଭରରେ ଆସିଥିଲା । ରିଙ୍କୁ ସିଂହ ଚୌକା ମାରି ସୁପର ଓଭରରେ ମ୍ୟାଚ ଜିତିଥିଲେ ଓ କୋଲକାତାର ଦ୍ୱତୀୟ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲେ । ମ୍ୟାଚ ଜିତିବା ପରେ କୋଲକାତାର ଅଧିନାୟକ ଅଜିଙ୍କ୍ୟା ରାହାଣେ ଖୁସି ଥିବା ସହ ରିଙ୍କୁଙ୍କ ପ୍ରଶଂସା କରିଥିଲେ।
ପ୍ରଥମେ ବ୍ୟାଟିଂ କରି, କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ମୋଟ ୧୫୫ ରନ ସଂଗ୍ରହ କରିଥିଲା। ଦଳ ସଂଘର୍ଷ କରୁଥିବା ସମୟରେ, ରିଙ୍କୁ ସିଂହ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିବା ସହ ୮୩ ରନ ଏକ ଚମତ୍କାର ଇନିଂସ ଖେଳି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ରିଙ୍କୁଙ୍କ ଇନିଂସ ବଳରେ କୋଲକାତା ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ଏହି ଟାର୍ଗେଟକୁ ଚେଜ କରିବାକୁ ଯାଇ ଲକ୍ଷ୍ନୌ ୨୦ ଓଭରରେ ୧୫୫ ରନ ସଂଗ୍ରହ କରିଥିଲା, ଯାହା ଫଳରେ ମ୍ୟାଚ ଟାଇ ହୋଇଥିଲା। ଏହା ସହ ଆଇପିଏଲ ୨୦୨୬ ର ପ୍ରଥମ ସୁପର ଓଭର ଦେଖିବାକୁ ମିଳିଥିଲା । ଲକ୍ଷ୍ନୌ ସୁପର ଓଭରର ପ୍ରଥମ ୩ ଟି ବଲରେ ମାତ୍ର ୧ ରନ କରି ୨ ଟି ୱିକେଟ୍ ହରାଇଥିଲା । ଏହି ମ୍ୟାଚରେ ଫର୍ମରେ ଥିବା ରିଙ୍କୁ ପ୍ରଥମ ବଲରେ ଚୌକା ମାରି କୋଲକାତାକୁ ବିଜୟୀ କରିଥିଲେ।
ମ୍ୟାଚ ପରେ ରାହାଣେ ବେଶ ଖୁସି ଥିଲେ ଓ ରିଙ୍କୁଙ୍କ ପ୍ରଶଂସା କରିଥିଲେ । ବିଶେଷ କରି କଠିନ ପରିସ୍ଥିତିରୁ ବାହାରି ଦଳ କିଭଳି ବିଜୟୀ ହେଲା ତାହା ଦେଖି ସେ ଅତ୍ୟନ୍ତ ଖୁସି । ମ୍ୟାଚ ପରେ ରାହାଣେ କିଭଳି ମ୍ୟାଚକୁ ଉପଭୋଗ କରୁଥିଲେ ବୋଲି ପଚରାଯାଇଥିଲା ଓ ରାହାଣେ କହିଥିଲେ "ତାଙ୍କ ହାର୍ଟ-ବିଟ୍ ବଢିଯାଇଥିଲା ଓ ମ୍ୟାଚ ଜିତିବା ପରେ ଏବେ ସ୍ଥିର ହୋଇଛି । ଏହା ସହ ରିଙ୍କୁ ଯେଉଁଭଳି ବ୍ୟାଟିଂ କରିଛନ୍ତି ତାହା ପ୍ରଶଂସନୀୟ । ମ୍ୟାଚରେ ଆମେ ଯେଉଁ ସ୍ଥିତିରେ ଥିଲୁ ସେଠାରୁ ବାହାରିବାରେ ରିଙ୍କୁଙ୍କ ଇନିଂସ ବେଶ ଗୁରୁତ୍ୱପୂର୍ଣ୍ଣ । ରିଙ୍କୁ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେଇଥିଲେ ଓ ପରେ ଯେଉଁଭଳି ନିଜ ଇନିଂସକୁ ଗଢିତୋଳିଥିଲେ, ତାହା ଦେଖି ମ୍ୟାଚର ସମ୍ପୂର୍ଣ୍ଣ ଶ୍ରେୟ ରିଙ୍କୁଙ୍କୁ ଯାଉଛି । ରିଙ୍କୁଙ୍କ ଦ୍ୱାରା ଏକ ଚମତ୍କାର ଇନିଂସ ଥିଲା, ଶେଷ ଓଭରରେ ଏତେ ରନ ସ୍କୋର କରିବା ଓ ପରବର୍ତ୍ତୀ ମୁହୂର୍ତରେ ମ୍ୟାଚ ଆମ ସପକ୍ଷରେ ଯିବା ଏକ ଚମତ୍କାର ଥିଲା ।"