ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତୀୟ ମହିଳା କ୍ରିକେଟ ଦଳ ଶନିବାର ଚତୁର୍ଥ ଟି-୨୦ ରେ ଦକ୍ଷିଣ ଆଫ୍ରିକାକୁ ୧୪ ରନରେ ପରାସ୍ତ କରିଛି । ଜୋହାନେସବର୍ଗରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ରେ ଭାରତ ଲଗାତାର ଚତୁର୍ଥ ଥର ପାଇଁ ଟସ୍ ହାରିଥିଲା । ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୫ ରନ ସଂଗ୍ରହ କରିଥିଲା ଭାରତ । ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟକୁ ଚେଜ କରିବାକୁ ଯାଇ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୧ ରନ ସଂଗ୍ରହ କରିଥିଲା ।
ପାଞ୍ଚଟି ମ୍ୟାଚ ବିଶିଷ୍ଟ ଏହି ସିରିଜ ଖେଳାଯାଉଥିବାବେଳେ ଚତୁର୍ଥ ମ୍ୟାଚରେ ଭାରତକୁ ପ୍ରଥମ ବିଜୟ ମିଳିଛି। ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ତିନୋଟି ମ୍ୟାଚ ହାରିବା ସହ ସିରିଜ ମଧ୍ୟ ହାରି ସାରିଛି। ଚତୁର୍ଥ ମ୍ୟାଚରେ ବିଜୟ ସହିତ ଭାରତୀୟ ଦଳ ଛୋଟ ମୋମେଂଟମ୍ ଫେରିପାଇଛି। ତେବେ ସିରିଜର ପଞ୍ଚମ ଓ ଶେଷ ମ୍ୟାଚ ଏପ୍ରିଲ ୨୭ ତାରିଖରେ ବେନୋନିରେ ଖେଳାଯିବ। ପଞ୍ଚମ ମ୍ୟାଚରେ ବିଜୟ ହାସଲ କରି ୩-୨ ରେ ସିରିଜ କୁ ଶେଷ କରିବାକୁ ଚେଷ୍ଟା କରିବା ଭାରତୀୟ ମହିଳା ଦଳ ।
ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୮୫ ରନ ସଂଗ୍ରହ କରିଥିଲେ ମଧ୍ୟ ଭାରତ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିନଥିଲେ । ଅନୁଷ୍କା ଶର୍ମା ୧୮ ବଲରେ ୨୭ ରନ, ଜେମିମାହ ରଡ୍ରିଗ୍ସ ୨୯ ବଲରେ ୪୩ ରନ, ହର୍ମନପ୍ରୀତ କୌର ୧୬ ବଲରେ ୨୨ ରନ, ଦୀପ୍ତି ଶର୍ମା ୨୬ ବଲରେ ୩୬* ରନ ଓ ରିଛା ଘୋଷ ୧୮ ବଲରେ ୩୪* ରନ ସଂଗ୍ରହ କରିଥିଲେ ।
୧୮୬ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକାର ଅଧିନାୟକ ଲୌରା ୱଲଭାର୍ଡଟ୍ (୧୮) ପ୍ରଥମ ୱିକେଟ୍ ଭାବେ କ୍ରାନ୍ତି ଗୌଡ୍ଙ୍କ ଜାଲରେ ଫସିଯାଇଥିଲେ। ପରେ ୨୪ ବଲରେ ୪୦ ରନ କରି ଖେଳୁଥିବା ସୁନି ଲୁସ (୪୦) ଓ ଏନରି ଡେରେକ୍ସନ (୯) ଙ୍କୁ କ୍ଲିନ୍-ବୋଲ୍ଡ କରିଥିଲେ। ଏହା ପରେ ଦୀପ୍ତି ଶର୍ମା ସମୁଦାୟ ୫ ଟି ୱିକେଟ୍ ନେଇଥିଲେ ଓ କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ, କାଶବି ଗୌତମ ଓ ଶେଫାଳି ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।