ଅରୁଣ ଜେଟଲି ଷ୍ଟାଡିୟମ, ଦିଲ୍ଲୀରେ ଏକ ଦୁଃଖଦ ଘଟଣା ଘଟିଛି, ଅଭ୍ୟାସ ସମୟରେ ବଲ ବାଜି ଜଣେ ବୋଲର ଆହତ ହୋଇଛନ୍ତି । ନେଟରେ ବୋଲିଂ କରୁଥିବାବେଳେ ବଲ ମୁହଁରେ ବାଜି ମୁହଁରୁ ରକ୍ତ ବାହାରିବା ସହ ସେହି ଖେଳାଳିଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ହୋଇଥିବା ଖେଳାଳି ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ସାହିଲ ପାରଖ । ଶନିବାର ଅପରାହ୍ନରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଘରୋଇ ଷ୍ଟାଡିୟମରେ ଅଭ୍ୟାସ କରୁଥିଲା । ଅଭ୍ୟାସ ସେସନ ସମୟରେ ସାହିଲ ବୋଲିଂ କରୁଥିଲେ ଓ ବଲ ତାଙ୍କ ମୁହଁରେ ବାଜିବାରୁ ସେ ତଳେ ପଡିଯାଇଥିଲେ । ଆଘାତ ଏତେ ଅଧିକ ଥିଲା ଯେ, ସାହିଲଙ୍କ ମୁହଁରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା ।
ଦଳର ଫିଜିଓ ଓ ଡାକ୍ତରୀ ଦଳ ସାହିଲଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବାକୁ ପଡିଆକୁ ଦୌଡ଼ି ଆସିଥିଲେ । ଷ୍ଟାଡିୟମରେ ନିୟୋଜିତ ଜରୁରୀକାଳୀନ ଦଳ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଡିଆରେ କିଛି ସମୟ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ ମଧ୍ୟ ଆଘାତ ଗମ୍ଭୀର ଥିବାରୁ ସାହିଲଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସରେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସାହିଲଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କୌଣସି ସୂଚନା ମିଳିପାରିନାହିଁ ।
ସାହିଲ ପାରିଖ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ ଖେଳନ୍ତି । ଆଇପିଏଲ ୨୦୨୬ ପୂର୍ବରୁ ହୋଇଥିବା ଅକ୍ସନରେ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ୧୮ ବର୍ଷୀୟ ସାହିଲ ବର୍ତ୍ତମାନ ସୁଦ୍ଧା ଡେବ୍ୟୁ କରିବାର ସୁଯୋଗ ପାଇନାହାନ୍ତି । ସାହିଲ ନିଜ କ୍ୟାରିଅରରେ ମାତ୍ର ୨ ଟି ଟି-୨୦ ଖେଳିଛନ୍ତି, ତାହା ପୁଣି ୨୦୨୫-୨୬ ବିସିସିଆଇ ଘରୋଇ ପ୍ରତିଯୋଗିତା ସଏଦ ମୁସ୍ତାକ ଅଲି ଟ୍ରଫିରେ ।