ମୁୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ ସଞ୍ଜୁ ସାମସନଙ୍କ ଶତକ ଓ ଅକିଲ ହୁସେନଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦୩ ରନରେ ହରାଇଛି । ମୁମ୍ବାଇକୁ ଶୋଚନୀୟ ଭାବେ ପରାସ୍ତ କରି ଚେନ୍ନାଇ ଆଇପିଏଲ୍ ଇତିହାସରେ ନିଜର ସବୁଠୁ ବଡ ବିଜୟ ହାସଲ କରିଛି । ଅନ୍ୟପଟେ ମୁମ୍ବାଇ ମଧ୍ୟ ନିଜର ଆଇପିଏଲ୍ ଇତିହାସରେ ସବୁଠୁ ବଡ ପରାଜୟ ଭୋଗିଛି । ସିଜିନରେ ତୃତୀୟ ବିଜୟ ସହ ଚେନ୍ନାଇ ପଞ୍ଚମ ସ୍ଥାନକୁ ଉଠିଛି । ମୁମ୍ବାଇ ଅଷ୍ଟମ ସ୍ଥାନକୁ ଖସିଛି । ଚେନ୍ନାଇ ୨୦୭ ରନ କରିଥିବା ବେଳେ ଜବାବରେ ମୁମ୍ବାଇ ୧୦୪ ରନରେ ଅଲଆଉଟ୍ ହୋଇଥିଲା । ଅକିଲ ହୁସେନ ୪ ୱିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପକ୍ଷରୁ ସଞ୍ଜୁ ସାମସନଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଥିଲେ । ତଥାପି ସଞ୍ଜୁ ସାମସନ ନିଜର ଦମଦାର ବ୍ୟାଟିଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲେ । ମଝିରେ ମଝିସରେ ସେ ଅନ୍ୟ ବ୍ୟାଟରଙ୍କ ସହ ଛୋଟ ଛୋଟ ଭାଗିଦାରୀ କରି ଚେନ୍ନାଇକୁ ୨୦୭ ରନର ମଜବୁତ ସ୍କୋରରେ ପହଞ୍ଚାଇଥିଲେ । ଋତୁରାଜ ଗାଏକ୍ୱାଡ ୨୨ ରନ, ସରଫରାଜ ଖାନ ୧୪ ରନ, ବ୍ରେଭିସ ୨୧ ରନ, କାର୍ତ୍ତିକ ଶର୍ମା ୧୮ ରନ ଓ ଜେମି ଓଭରଟନ ୧୫ ରନ କରି ଆଉଟ୍ ହୋଇଥିଲେ । ହେଲେ ସଞ୍ଜୁ ସାମସନ ୫୪ ବଲରୁ ୧୦ ଚୌକା ଓ ୬ ଛକା ସହ ୧୦୧ ରନ କରି ଅପରାଜିତ ଥିଲେ । ସଞ୍ଜୁଙ୍କ ଚଳିତ ସିଜିନରେ ଏହା ଦ୍ୱିତୀୟ ଶତକ ଥିବା ବେଳେ ଆଇପିଏଲରେ ଏହା ପଞ୍ଚମ ଶତକ ।
ଅନ୍ୟପଟେ ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳ ଆରମ୍ଭରେ ୩ଟି ୱିକେଟ୍ ନେଇଥିଲା । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ହେଲେ ତିଳକ ବର୍ମା ୩୭ ରନ ଓ ସୂର୍ଯ୍ୟକୁମାର ୩୬ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ମୁମ୍ବାଇ ଏମିତି ଦୟନୀୟ ସ୍ଥିତି ଭୋଗିଥିଲା ଯାହା ପ୍ରଶଂସକ କେବେ ଭାବି ନ ଥିଲେ । ଏକଦା ୩ ୱିକେଟ୍ ହରାଇ ୮୪ ରନ କରିଥିବା ମୁମ୍ବାଇ ଶେଷ ୭ ୱିକେଟ୍ ୨୦ ରନ ଭିତରେ ହରାଇ ୧୦୪ ରନରେ ଅଲଆଉଟ୍ ହୋଇଥିଲା । ଅକିଲ ହୁସେନ ୧୭ ରନ ଦେଇ ୪ ୱିକେଟ୍ ନେଇଥିଲେ ।
Also Read: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ମତ ରଖିଲେ ପୂର୍ବତନ ଭାରତୀୟ କ୍ୟାପଟେନ