ଚଳିତ ସିଜିନରେ ମ୍ୟାଚ ଜିତିବା ପାଇଁ ସଂଘର୍ଷ କରୁଥିବା ଚେନ୍ନାଇକୁ ଗତ ୧୮ ଏପ୍ରିଲରେ ଝଟକା ଲାଗିଥିଲା । ଭଲ ଫର୍ମରେ ଥିବା ଯୁବ ବ୍ୟାଟର ଆୟୁଷ ମାହତ୍ରେ ୧୮ ଏପ୍ରିଲ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆହତ ଥିବା ନଜର ଆସିଥିଲେ । ଡାକ୍ତରୀ ଟିମ ଯାଞ୍ଚ କରିବା ପରେ ଆୟୁଷ ଚଳିତ ଆଇପିଏଲ ସିଜିନ ଖେଳିପାରିବେନି ବୋଲି କହିଥିଲେ । ଏହା ପରେ ଚେନ୍ନାଇ ଫ୍ୟାନ୍ସ ନିରାଶ ହୋଇଥିଲେ, କାରଣ ପୂର୍ବରୁ ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନି ଆହତ ଥିବାରୁ କୌଣସି ବି ମ୍ୟାଚରେ ପଡିଆକୁ ଓହ୍ଲାଇନଥିଲେ ଓ ଏବେ ଆୟୁଷ ସମ୍ପୂର୍ଣ୍ଣ ଲିଗ ରୁ ବାଦ ପଡ଼ିବା ଖବର ଫ୍ୟାନ୍ସଙ୍କୁ ବେଶ ନିରାଶ କରିଥିଲା ।
ଚେନ୍ନାଇ ସୁପର କିଙ୍ଗ୍ସର ଆୟୁଷଙ୍କ ସ୍ଥାନରେ କାହାକୁ ଦଳରେ ସାମିଲ କରିବ ସେ ନେଇ ବେଶ ଆଲୋଚନା ହେଉଥିବାବେଳେ, ଚେନ୍ନାଇ ଏକ ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରିଛି । ଦଳରେ ଜଣେ ଇନ-ଫର୍ମ ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ଜଣେ ଦ୍ରୁତ ବୋଲରଙ୍କୁ ସାମିଲ କରିଛି । ଚେନ୍ନାଇର ଏହି ନିଷ୍ପତି ସମସ୍ତଙ୍କୁ ଚକିତ କରିଛି ।
ଆଇପିଏଲରେ ପାଞ୍ଚ ଥର ବିଜେତା ଚେନ୍ନାଇ ଚଳିତ ସିଜିନରେ ସଂଘର୍ଷ କରୁଛି । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ ଏଲିସ ଚଳିତ ସିଜିନ ପାଇଁ ଉପଲବ୍ଧ ହେବେନି ବୋଲି ବହୁ ପୂର୍ବରୁ ଜଣା ପଡିଯାଇଥିଲା । ଏହାପରେ ଖଲିଲ ଏହମଦ ମଧ୍ୟ ସମ୍ପୂର୍ଣ୍ଣ ଲିଗ ରୁ ବାଦ ପଡ଼ିଥିଲେ । ଏହା ବ୍ୟତୀତ ଧୋନି ଓ ସ୍ପେନସର ଜନସନ ମଧ୍ୟ ଆହତ ଥିବାରୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଖେଳିପାରି ନାହାନ୍ତି । ବର୍ତ୍ତମାନ ଆୟୁଷ ଆହତ ହେବା ପରେ ଚେନ୍ନାଇ ଆକାଶ ମାଧୱାଲଙ୍କୁ ଦଳରେ ସାମିଲ କରିଛି।
ଘରୋଇ କ୍ରିକେଟରେ ଉତ୍ତରାଖଣ୍ଡ ପାଇଁ ଖେଳୁଥିବା ୩୧ ବର୍ଷୀୟ ଦ୍ରୁତ ବୋଲର ଆକାଶ ମାଧୱାଲ ପୂର୍ବରୁ ଆଇପିଏଲ ଖେଳିସାରିଛନ୍ତି । ଆକାଶ ମୁମ୍ବାଇ ଇଂଡିଆନ୍ସରୁ ନିଜ ଆଇପିଏଲ କ୍ୟାରିଅର ଆରମ୍ଭ କରିଥିଲେ ଓ ପରେ ରାଜସ୍ଥାନ ରୟାଲ୍ସରେ ସାମିଲ ଥିଲେ। ୨୦୨୬ ଆଇପିଏଲ ପାଇଁ ହୋଇଥିବା ଅକ୍ସନରେ ଅନସୋଲ୍ଡ଼ ହୋଇଥିଲେ ଆକାଶ । ଏବେ ଆୟୁଷଙ୍କ ସ୍ଥାନରେ ଚେନ୍ନାଇ ଆକାଶଙ୍କୁ ଦଳରେ ସାମିଲ କରିଛି ।