ଆଇପିଏଲର ୩୨ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ବିଜୟ ସତ୍ୱେ ନାନ୍ଦ୍ରେ ବର୍ଗରଙ୍କୁ ଲାଗିଛି ଝଟକା । ମ୍ୟାଚରେ ଶୃଙ୍ଖଳାଗତ ନିୟମ ଅନୁଯାୟୀ ବର୍ଗରଙ୍କ ମ୍ୟାଚ ଫିସ୍ ର ୧୦ ପ୍ରତିଶତ ଜରିମାନା ଲାଗିଛି । ଏହା ସହିତ ଗୋଟିଏ ଡିମେରିଟ୍ ପଏଣ୍ଟ ମଧ୍ୟ ତାଙ୍କ ଉପରେ ଲାଗିଛି । ଲକ୍ଷ୍ନୌ ଓ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଆଇପିଏଲର ଶୃଙ୍ଖଳା ନିୟମ ଉଲ୍ଲଙ୍ଘନ କରିବା ହେତୁ ବର୍ଗରଙ୍କ ଉପରେ ଏହି ଜରିମାନା ଲାଗିଛି ।
ବୁଧବାର ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ରାଜସ୍ଥାନ, ଲକ୍ଷ୍ନୌକୁ ୪୦ ରନରେ ପରାସ୍ତ କରିଥିଲା । ମ୍ୟାଚର ଦ୍ଵିତୀୟ ଇନିଂସର ଦ୍ଵିତୀୟ ଓଭରରେ ବର୍ଗର, ପନ୍ତଙ୍କ ୱିକେଟ୍ ନେଇଥିଲେ । ଖାତା ନଖୋଲି ପନ୍ତ ପ୍ୟାଭିଲିଅନ ଫେରୁଥିଲେ । ନାନ୍ଦ୍ରେ ବର୍ଗର ପନ୍ତଙ୍କୁ ଆଉଟ କରିବା ପରେ ତାଙ୍କୁ ପଡ଼ିଆରୁ ବାହାରକୁ ପଠାଇଥିବା ଇଙ୍ଗିତ କରିଥିଲେ ।
ବାମହାତି ଦ୍ରୁତ ବୋଲର ନାନ୍ଦ୍ରେ ବର୍ଗରଙ୍କୁ ଆଇପିଏଲର ନିୟମ ଧାରା ୨.୫ ଅନୁଯାୟୀ ଲେବଲ ୧ ଅପରାଧ ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି ଓ ସେ ଏହି ଅପରାଧକୁ ସ୍ୱୀକାର ମଧ୍ୟ କରିଛନ୍ତି। ଅନ୍ୟ ଖେଳାଳିଙ୍କୁ ଅପମାନ କିମ୍ବା ରାଗ ବଢାଇବା ପାଇଁ ଉସୁକାଇବାରେ କୌଣସି ଭାଷା ପ୍ରୟୋଗ କରିବା, କିମ୍ବା ଇଙ୍ଗିତ କଲେ ଆଇପିଏଲର ନିୟମ ଧାରା ୨.୫ ଲାଗୁ ହୋଇଥାଏ । ମ୍ୟାଚ ରେଫରି ପଡିଆରେ ଖେଳାଳିଙ୍କ ଉପରେ ନଜର ରଖିଥାନ୍ତି ଓ ନିୟମ ଅନୁଯାୟୀ ଦଣ୍ଡ ଦେଇଥାନ୍ତି । ଯଦି କୌଣସି ଖେଳାଳି ବାରମ୍ବାର ଏଭଳି କରୁଥିବାର ନଜର ଆସନ୍ତି ତେବେ ତାଙ୍କୁ କିଛି ମ୍ୟାଚରୁ ବାସନ୍ଦ ମଧ୍ୟ କରାଯାଇପାରେ ।