ଭୁବନେଶ୍ୱର: ବାରମ୍ବାର ଜନଗଣନାରେ ନିୟୋଜିତ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା ଚେତାବନୀ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଯଦି କୌଣସି ବ୍ୟକ୍ତି ଶିକ୍ଷକମାନଙ୍କୁ ଆକ୍ରମଣ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀ କହିଛନ୍ତି ଯେ ଯେଉଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଜନଗଣନାରେ ନିଯୁକ୍ତ ହୋଇଛନ୍ତି ସେମାନେ ନିଜର କର୍ତ୍ତବ୍ୟ କରୁଛନ୍ତି । କିନ୍ତୁ ଯେଉଁମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେପରି କିଛି ଘଟିଲେ ତୁରନ୍ତ ଏତଲା ଦେବାକୁ କହିଛନ୍ତି ମନ୍ତ୍ରୀ । ସରକାର ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି । ଲୋକେ ମଧ୍ୟ ସଚେତନ ହେଉଛନ୍ତି । ତେଣୁ ଏହା ଏକ ସରକାରୀ କାର୍ଯ୍ୟ ହୋଇଥିବାରୁ ଶିକ୍ଷକମାନେ ଭୟଭୀତ ନ ହୋଇ ଦାୟିତ୍ୱ ତୁଲାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ନିକୁଞ୍ଜ ଶତପଥୀ ଏବଂ ତାଙ୍କ ପରିବାର ସଦସ୍ୟ ଚାରି ଜଣ ଜନଗଣନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଜନଗଣନା ଅଧିକାରୀ ରଘୁନାଥ ଦୀକ୍ଷିତ, ମଧୁସ୍ମିତା ବେହେରା, ସ୍ଵର୍ଣ୍ଣଲତା ସାହୁ ଓ ସତୀନ ବିରେନ ବେହେରା ନିକୁଞ୍ଜଙ୍କ ଘରକୁ ଯାଇଥିବାବେଳେ ଆକ୍ରମଣର ଶୀକାର ହୋଇଥିଲେ । ଟେକା ପଥର ଫୋପାଡ଼ିବା ସହିତ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ । ଏପରିକି ଅଧିକାରୀମାନଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି ।