ଭୁବନେଶ୍ୱର : ପୁଣି ଥରେ ରାଜ୍ୟରେ ରତ୍ନ ଭଣ୍ଡାର ଚାବି ରାଜନୀତି ମୁଣ୍ଡ ଟେକିଛି । ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ରତ୍ନଭଣ୍ଡାରକୁ ନେଇ ବିଜେପି ରାଜ୍ୟବାସୀଙ୍କୁ ଯେଉଁ ବିଭ୍ରାନ୍ତ କରିଥିଲା ତାହା ଆଜି ଗଣତନ୍ତ୍ର ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟ କରିଛି । ଯାହାର ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ବିଜୁ ଜନତା ଦଳ ନାଟକ କରିବାକୁ ଯେଉଁ ଦୁଃସାହସ କରୁଛି ଗୋଟିଏ ଦିନରେ ଦୁଃସାହସ ଛଡ଼ାଇ ଦେବୁ ।
ବବି ଦାସ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଯେଉଁସ୍ତରର ଅପପ୍ରଚାର କରାଗଲା, ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ ବରଂ ଓଡ଼ିଶାବାସୀଙ୍କ ଭାବନା ସହ ଏକ କ୍ରୂର ପରିହାସ। ରାଜନୈତିକ ଫାଇଦା ପାଇଁ କିଭଳି ଗୁଜବକୁ ଅସ୍ତ୍ର କରି ଜନମାନସରେ ଭୟ ଓ ସନ୍ଦେହ ସୃଷ୍ଟି କରାଯାଇ ପାରେ ତାହା ଓଡ଼ିଶା ଦେଖିଲା। ରତ୍ନଭଣ୍ଡାରକୁ ନେଇ ବିଜେପି ରାଜ୍ୟବାସୀଙ୍କୁ ଯେଉଁ ବିଭ୍ରାନ୍ତ କରିଥିଲା ତାହା ଆଜି ଗଣତନ୍ତ୍ର ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟ କରିଛି।
ଗଣତି ମଣତି ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ଅଳଙ୍କାର ସୁରକ୍ଷିତ ଅଛି। ଓଡ଼ିଶାର ଜନସାଧାରଣ ଏବେ ଜାଣିସାରିଛନ୍ତି ଯେ କେଉଁଟି ସତ ଥିଲା। ମିଥ୍ୟାର ପାହାଡ଼ ତଳେ ଚାପି ହୋଇ ରହିଥିବା ସତ୍ୟ ଏବେ ସାମ୍ନାକୁ ଆସିଛି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପାଲଟା ପ୍ରଶ୍ନରେ ବିଜେଡ଼ିକୁ ଘେରିଛନ୍ତି । କହିଛନ୍ତି ଯେ ଚାବି କୋଉଠି ଥିଲା ସେ ପ୍ରଶ୍ନ ବିଜେଡ଼ିକୁ ଆମେ ପଚାରିବା ଉଚିତ । ଚାବି ହଜିବା ମାମଲା ସମ୍ପୂର୍ଣ୍ଣ ସତ୍ୟ । ଯଦି ଚାବି ଥିଲା ତାହାହେଲେ କାହିଁକି ସେତେବେଳେ ରତ୍ନଭଣ୍ଡାର ଖୋଲାଗଲା ନାହିଁ । ଯେଉଁ ଡୁପ୍ଲିକେଟ୍ ଚାବି ଥିଲା ତାହାର ତାଲା ସହିତ କୌଣସି ସମ୍ପର୍କ ନ ଥିଲା । ସେଥିପାଇଁ ଏବେକାର ସରକାର ରତ୍ନଭଣ୍ଡାର ଖୋଲିବା ବେଳେକୁ ଚାବି ନ ଥିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା କାଟିବାକୁ ପଡ଼ିଥିଲା ।
ରତ୍ନଭଣ୍ଡାର ଚାବି ସବୁବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଅଣାଯାଏ ପୁଣି ରଖିବା ବେଳକୁ ଜଉ ମୁଦ ଦେଇ ଜିଲ୍ଲା ଟ୍ରେଜେରୀରେ ରଖାଯାଇଥାଏ । ଅନେକ ପ୍ରଶ୍ନ ଅସାମହିତ ଉତ୍ତର ରହିଛି, ଯଦି ଆମେ ପ୍ରଶ୍ନ ପଚାରିବୁ ସମ୍ପୂର୍ଣ୍ଣ ବିଜୁ ଜନତା ଦଳକୁ ପାରାଲିସିସ୍ ହୋଇଯିବ ବୋଲି କହିଛନ୍ତି ମନ୍ତ୍ରୀ ।