ମାଲକାନଗିରି: ମାଲକାନଗିରି ଜିଲ୍ଲା କେସିସି ବ୍ୟାଙ୍କରେ କୋଟିଏ ଟଙ୍କାରୁ ଅଧିକ ହେରଫେର । ନିଜେ ବ୍ୟାଙ୍କ ମ୍ୟାନେଜର ମୂଷା ହୋଇ ବ୍ୟାଙ୍କକୁ ଖୋଳ କରିଛନ୍ତି । ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ୧ କୋଟି ୭ ଲକ୍ଷ ଟାଙ୍କର ଘୋଟାଲା କରିବା ଅଭିଯୋଗରେ ଡିଆରସିସି ନିଲମ୍ବିତ କରିଛନ୍ତି ।
ମାଲକାନଗିରି ଲ୍ୟାମ୍ପସର ବ୍ରାଞ୍ଚ ଇନଚାର୍ଜ ୭୭ ଲକ୍ଷ ଟଙ୍କା କେସିସି ବ୍ୟାଙ୍କରେ ନିଜେ ଟଙ୍କା ଜମା ନ କରି ମ୍ୟାନେଜର ଶୁଭେନ୍ଦୁ ଖରାଙ୍କୁ ଜମା କରିବାକୁ ଦେଇଥିଲେ । କିନ୍ତୁ ମ୍ୟାନେଜର ନିଜ ଲୋଭ ସମ୍ଭାଳି ପାରିନଥିଲେ । ମ୍ୟାନେଜର ଟଙ୍କା ନେଇ ଏକ ନକଲି ରସିଦ ଦେଇଥିଲେ । ସେହିପରି ପୋଟେରୁ ଲ୍ୟାମ୍ପସ ଇନଚାର୍ଜ ପ୍ରଥମେ ୮ ଲକ୍ଷ ୧୦ ହଜାର ଓ ପରେ ୨୧ ଲକ୍ଷ ୯୫ ହଜାର ଟଙ୍କା ବ୍ୟାଙ୍କ ମ୍ୟାନେଜରକୁ ଦେଇଥିଲେ। ସେହିପରି ବ୍ୟାଙ୍କ ମ୍ୟାନେଜର ମଧ୍ୟ ନକଲି ରସିଦ ଦେଇଥିଲେ ।
ତେବେ ମାର୍ଚ୍ଚ ମାସ ଶେଷରେ ହିସାବ ବେଳକୁ ଟଙ୍କାର ହିସାବ ମିଳିନଥିଲା । ଏନେଇ ଡିଆରସିଏସ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ସମସ୍ତ ଟଙ୍କାକୁ ମ୍ୟାନେଜର ନିର୍ଦ୍ଧାରିତ ଆକାଉଣ୍ଟରେ ଜମା ନକରି ନିଜେ ହାତେଇଥିବା ଜଣାପଡ଼ିଥିଲା । ଟଙ୍କା ହେରେଫେର ଅଭିଯୋଗରେ ତୁରନ୍ତ ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରାଙ୍କୁ ନିଳମ୍ବିତ କରାଯାଇଛି ।