ଖରା ଗୁଳୁଗୁଳିରୁ ନାହିଁ ନିସ୍ତାର। ଆହୁରି ୪ ଦିନ ଖରାରେ ସିଝିବ ଓଡ଼ିଶା। ଦିନକୁ ଦିନ ବଢୁଥିବା ତାପମାତ୍ରା ସହ ଗୁଳୁଗୁଳି ଲୋକଙ୍କୁ ନିସ୍ତାର ଦେଉନାହିଁ। ରାଜ୍ୟର ଅଧାଅଧିକ ଅଞ୍ଚଳରେ ପାରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ଏହି ତାତିରୁ କୌଣସି ରାହାତ ମିଳିବା ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରିଛି।
ବିଶେଷ କରି ଟିଟିଲାଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ା ଭଳି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ଆଶଙ୍କା ରହିଛି। ଏହି ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ହିଟ୍ ୱେଭ୍ ଆଲର୍ଟ ଜାରି ହୋଇଛି। ଗରମର ତୀବ୍ରତା ଏତେ ବଢିଛି ଯେ, ସକାଳ ୯ଟା ପରେ ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡୁଛି।
ଖରା ଗରମକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଥିଲା , ଯଦି ଜିଲ୍ଲାରେ ତାତିର ତାଉ ବଢେ, ତେବେ ଜିଲ୍ଲା ପ୍ରଶାସନ ଏଥିଲାଗି ଛୁଟି ନିଷ୍ପତି ନେଇପାରିବେ। ଏହାରି ଭିତରେ ସୁନ୍ଦରଗଡ଼ରେ ୨୭ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଜିଲ୍ଲାରେ ସ୍କୁଲ୍ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ୨୭ ପର୍ଯ୍ୟନ୍ତ ଛୁଟି ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, କେନ୍ଦ୍ରାପଡା ଓ କୋରାପୁଟ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ଆସନ୍ତାକାଲି ଠାରୁ ୨୫ ତାରିଖ ଯାଏଁ ଅର୍ଥାତ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ୍ ଆସନ୍ତା ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ୨୨ରୁ ୨୪ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଖରା ଓ ହିଟ୍ ୱେଭ କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିଶୁ ବାଟିକାରୁ ଦ୍ବାଦଶ ଶ୍ରେଣୀ ଯାଏ ସବୁ ସ୍କୁଲ ଛୁଟି ରହିବ ବୋଲି ସ୍ଥିର ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ।
ଖରା ପ୍ରସଙ୍ଗକୁ ନେଇ ସ୍କୁଲ ଛୁଟି ଘଟଣାରେ ରାଜସ୍ଵ ମନ୍ତ୍ରୀ କହିଛନ୍ତି, ଆବଶ୍ୟକ ହେଲେ ଆଗକୁ ମଧ୍ୟ ଛୁଟି ବଢିବ। ରାଜ୍ୟରେ ଏବେ ଗୁଳୁଗୁଳିର ସନ୍ତୁଳି ହେଉଛନ୍ତି ଲୋକେ। ଆଜି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାରେ ୪୪.୪% ରେକର୍ଡ ହୋଇଛି।ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ। ସେହିପରି ସମ୍ବଲପୁର ୪୩.୨, ହୀରାକୁଦ ୪୩, ରାଉରକେଲା ୪୧ ଡିଗ୍ରୀ ରେକର୍ଡ ହୋଇଛି।