କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚଳିତ ନିର୍ବାଚନରେ କଂଗ୍ରେସ ପାଇଁ ଆଗୁଆ ଭବିଷ୍ୟବାଣୀ କରିଛନ୍ତି । ଶାହ କହିଛନ୍ତି ଯେ ଦୁଇଟି ରାଜ୍ୟରେ ଦଳ ଦୁଇ ଅଙ୍କ ଛୁଇଁ ପାରିବନି, ଆଉ ପଶ୍ଚିମବଙ୍ଗରେ ଖାତା ମଧ୍ୟ ଖୋଲିପାରିବ ନାହିଁ ।
କେନ୍ଦ୍ର ମନ୍ତ୍ରୀ ଆଜି ପଶ୍ଚିମବଙ୍ଗ ଦମ୍ ଦମ୍ ରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ଶାହ ଉଭୟ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ଉପରେ ବର୍ଷିଥିଲେ । ଦେଶ ପାଇଁ ଭୋଟ ଦେବାକୁ ଶାହ ଜନତାଙ୍କୁ ନିବେଦନ କରିଛନ୍ତି। ବଙ୍ଗଳାକୁ ଅନୁପ୍ରବେଶକାରୀ ମୁକ୍ତ କରିବାକୁ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ଆହ୍ୱାନ କରିଛନ୍ତି । ଶାହ କହିଛନ୍ତି, କୌଣସି ବିଧାୟକଙ୍କୁ ଭୋଟ ଦିଅନ୍ତୁ ନାହିଁ କିମ୍ବା ବିଜେପି ସରକାର ଗଠନ କରନ୍ତୁ ନାହିଁ କିନ୍ତୁ ବଙ୍ଗଳାକୁ ଅନୁପ୍ରବେଶ ମୁକ୍ତ କରିବା ପାଇଁ ଭୋଟ ଦିଅନ୍ତୁ।
ପ୍ରଚାର ସମୟରେ ଅମିତ ଶାହ କଂଗ୍ରେସ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ମୁଁ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହୁଁଛି ଯେ କଂଗ୍ରେସ ଏଠାରେ ଖାତା ମଧ୍ୟ ଖୋଲିପାରିବ ନାହିଁ। ଏହା ବ୍ୟତୀତ ସେ ଆଉ ଦୁଇଟି ରାଜ୍ୟ ତାମିଲନାଡୁ ଏବଂ ପୁଡୁଚେରୀରେ କଂଗ୍ରେସ ବିଷୟରେ ଏକ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ପୁଡୁଚେରୀ ଏବଂ ତାମିଲନାଡୁରେ କଂଗ୍ରେସର ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚିବ ନାହିଁ ଅର୍ଥାତ୍ ଦଳ ଏହି ଦୁଇଟି ସ୍ଥାନରେ ୧୦ ମଧ୍ୟରେ ସୀମିତ ରହିବ ।