ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଫେବୃଆରୀ ୨୮ରୁ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି । ୪୦ ଦିନ ଧରି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ମାତ୍ର ଏ ପର୍ଯ୍ୟନ୍ତ ଶାନ୍ତି ସ୍ଥାପିତ ହୋଇ ପାରିନି । ଦୁଇ ଦେଶ ନିଜ ନିଜର ସର୍ତ୍ତରେ ଅଡି ରହିଛନ୍ତି । ପାକିସ୍ତାନ ମଧ୍ୟସ୍ଥତାର ଉଦ୍ୟମ କରିଥିଲା । ହେଲେ ଅଦ୍ୟାବଧି ଏଥିରେ ସଂପୂର୍ଣ୍ଣ ସଫଳ ହୋଇ ପାରି ନାହିଁ । ଏହି ସବୁ ମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଲିନରେ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଏମିତି ସମୟ ଆସିବ ଯେବେ ଭାରତ ନିଜର ଭୂମିକା ନିର୍ବାହ କରିବ ଏବଂ ଏଥିରେ ସଫଳ ମଧ୍ୟ ହେବ ।
ରାଜନାଥ ସିଂଙ୍କ ଏହି ବୟାନ ପରେ ଭାରତ ଦ୍ୱାରା ମଧ୍ୟସ୍ଥତାର ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇରାନ ଓ ଆମେରିକା ମଧ୍ୟରେ ସଂପର୍କକୁ ନେଇ ରାଜନାଥ କହିଛନ୍ତି, ଭାରତ ଚେଷ୍ଟା କରିଛି, ମାତ୍ର ସବୁ ଜିନିଷର ଗୋଟିଏ ସମୟ ଥାଏ । ହୋଇପାରେ କାଲି ଏମିତ ସମୟ ଆସିବ ଯେବେ ଭାରତ ଏଥିରେ ଭୂମିକା ନିର୍ବାହକ କରିବ ଏବଂ ସଫଳତା ପାଇବ । ଆମେ ଏହି ସମ୍ଭାବନାକୁ ଏଡାଇ ପାରିବୁ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ପକ୍ଷଙ୍କୁ ଯୁଦ୍ଧ ସମାପ୍ତ କରିବାକୁ ଅପିଲ୍ କରିଛନ୍ତି । କୂଟନୈତିକ ପ୍ରସଙ୍ଗରେ ଆମ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବହୁତ ସନ୍ତୁଳିତ ।
ହର୍ମୁଜ ଉପରେ କଣ କହିଲେ ରାଜନାଥ
ରାଜନାଥ ସିଂ ମଙ୍ଗଳବାର କହିଛନ୍ତି ଯେ, ହର୍ମୁଜ ପ୍ରଣାଳୀ ସଂପ୍ରତି ବହୁତ ବଡ ବାସ୍ତବିକ ସମସ୍ୟା । ଭାରତର ସୁରକ୍ଷା ଓ ଆର୍ଥିକ ସ୍ଥିରତା ଉପରେ ଏହା ସିଧାସଳଖ ପ୍ରଭାବ ପଡିଥାଏ । ଜର୍ମାନୀର ତିନି ଦିନିଆ ଯାତ୍ରାର ପ୍ରଥମ ଦିନରେ ରାଜନାଥ ସୁରକ୍ଷା ସମ୍ବନ୍ଧିତ ସଂସଦୀୟ ସ୍ଥାୟୀ କମିଟିକୁ ସମ୍ବୋଧିତ କରି କହିଛନ୍ତି ଯେ, ସଂପ୍ରତି ଦୁନିଆ ଏକ ନୂଆ ବିପଦର ସମ୍ମୁଖୀନ ହେଉଛି । ତେଣୁ ବଦଳୁଥିବା ପରିଦୃଶ୍ୟ ସହିତ ନୂଆ ଦୃଷ୍ଟିକୋଣ ଆପଣେଇବାର ଆବଶ୍ୟକତା ରହିଛି ।