ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜର୍ମାନୀରେ ପାକିସ୍ତାନକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଆମର ସବୁ ପଡୋଶୀ ଠିକ, କେବଳ ଜଣେ ହିଁ ଗଡବଡ । ପହଲଗାମ ହମଲାର ବର୍ତ୍ତ ପୂର୍ତ୍ତି ଦିନ ହିଁ ରାଜନାଥ କହିଛନ୍ତି, ଅପରେସନ ସିନ୍ଦୂରରେ ଯେଉଁ କମାଲ ହୋଇଛି ତାହା କହିବାର କୌଣସି ଆବଶ୍ୟକତା ନାହିଁ । ଆମର ସାମରିକ ଶକ୍ତି ବେଶ ମଜବୁତ । ଭାରତ କେବେ ବି କାହା ଉପରେ ଆକ୍ରମଣ କରେ ନାହିଁ । ଯଦି କୌଣସି ପଡୋଶୀ ଦୁଃସାହାସ କରେ ତେବେ ଆମେ କଦାପି ବରଦାସ୍ତ କରିବୁ ନାହିଁ ।
ବର୍ଲିନରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରି ସିଂ କହିଛନ୍ତି, ମୁଁ ୭-୮ ଥର ୟୁନାଇଟେଡ ଷ୍ଟେଟ୍ସ ଯାଇ ସାରିଛି । ପ୍ରକୃତରେ ଯେବେଠୁ ଟ୍ରମ୍ପ ରାଷ୍ଟ୍ରପତି ହେଲେ ମୁଁ ଦୁଇ ଥର ଆମେରିକା ଯାଇଛି । ଜର୍ମାନୀ ମୋର ପ୍ରଥମ ଗସ୍ତ । ଏଠାରେ ରହୁଥିବା ଲୋକ ଭାରତ ଓ ଜର୍ମାନୀ ମଧ୍ୟରେ ସଂପର୍କର ଏକ ସେତୁ । ଆପଣଙ୍କ ପ୍ରତିଷ୍ଠା ବଢିଲେ ଭାରତର ପ୍ରତିଷ୍ଠା ବଢିବ । ଭାରତ ଓ ଜର୍ମାନୀର ସଂପର୍କ କେବଳ ଗଣତନ୍ତ୍ର ପର୍ଯ୍ୟନ୍ତ ସୀମିତ ନୁହେଁ ।
ଭାରତ ଆଉ ପୂର୍ବ ପରି ଭାରତ ନାହିଁ
ରାଜନାଥ ସିଂହ ଏହା ମଧ୍ୟ କହିଛନ୍ତି ଯେ ଭାରତ ଆଉ ପୂର୍ବ ପରି ଭାରତ ନାହିଁ। ବିଦେଶରେ ଭାରତର ବିଶ୍ୱସନୀୟତା ବୃଦ୍ଧି ପାଇଛି। ଆମେ ଗଣତନ୍ତ୍ର ପ୍ରତି ପ୍ରତିବଦ୍ଧ। ସେ କହିଛନ୍ତି ଯେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ସିଷ୍ଟମ ହେବ। ଭାରତରେ ମହିଳାମାନେ ୩୩% ସଂରକ୍ଷଣ ପାଇବେ।
୩ ଦିନିଆ ଜର୍ମାନୀ ଗସ୍ତରେ ରାଜନାଥ ସିଂହ
ରାଜନାଥ ସିଂହ ତିନି ଦିନିଆ ଜର୍ମାନୀ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ଢାଞ୍ଚାକୁ ଚୂଡ଼ାନ୍ତ କରିବା। ବର୍ଲିନରେ, ସିଂହ ଜର୍ମାନ ପ୍ରତିରକ୍ଷା ବୋରିସ୍ ପିଷ୍ଟୋରିଅସ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ସାତ ବର୍ଷର ବ୍ୟବଧାନ ପରେ ହୋଇଛି । ନିର୍ମଳା ସୀତାରମଣ ଶେଷ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ୨୦୧୯ ଫେବୃଆରୀରେ ଜର୍ମାନୀ ଗସ୍ତ କରିଥିଲେ।