ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆତଙ୍କବାଦୀ କହିବା ପରେ ଏବେ ସମାଲୋଚନାର ଶୀକାର ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ବିଜେପି ସାଂସଦ ସମ୍ବିତ ପାତ୍ର ଏହାର ଦୃଢ଼ ଜବାବ ଦେଇ କହିଛନ୍ତି , “ଏହା ଭୁଲ ନୁହେଁ ବରଂ ଷଡ଼ଯନ୍ତ୍ର”
ଖଡ଼ଗେଙ୍କ ଏଭଳି ବୟାନ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ବିତ ପାତ୍ର ଏହାକୁ ନିନ୍ଦା କରି କହିଛନ୍ତି ଖଡ଼ଗେ ଯେଉଁଭଳି ଭାବରେ ଅପଶବ୍ଦର ବ୍ୟବହାର କରିଛନ୍ତି ତାହା କଂଗ୍ରେସ ଦଳର ମାନସିକତାକୁ ଦର୍ଶାଉଛି । ଏହା ଭୁଲରେ ହୋଇନାହିଁ ବରଂ ଜାଣିଶୁଣି କରାଯାଇଥିବା କଂଗ୍ରେସର ଷଡ଼ଯନ୍ତ୍ର । ଗତ କିଛି ଦିନ ହେବ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଅନେକ ନେତା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପଶବ୍ଦର ବ୍ୟବହାର କରୁଛନ୍ତି । ପ୍ରତ୍ୟେକ ଦିନ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ତୁ କହୁଛନ୍ତି ।
ଏହା ସହିତ କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି ଏହି ଦଳ ଓସାମା ବିନ୍ ଲାଡେନକୁ ଦଳକୁ ଓସାମା ବିନ୍ ଲାଡେନ୍ ‘ଜୀ’ କହିଥାଏ । ଏହି ଦଳ ବଡ଼ ବଡ଼ ଆତଙ୍କବାଦୀ ସହିତ ଛିଡ଼ା ହୁଅନ୍ତି । ଜାକିର ନାଏକକୁ ‘ଶାନ୍ତିର ଦୂତ’ କହୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆତଙ୍କବାଦୀ କହିଛନ୍ତି । ଯେତେବେଳେ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେଇଛି, ସେତେବେଳେ ଭାରତର ଜନତା କଂଗ୍ରେସକୁ ଦଣ୍ଡିତ କରିଛନ୍ତି, ଏହା କଂଗ୍ରେସକୁ ମନେ ରଖିବାକୁ ପଡ଼ିବ ବୋଲି କହିଛନ୍ତି ସମ୍ବିତ ପାତ୍ର ।
ଉଲ୍ଲେଖ ଯୋଗ୍ୟ, ମଲ୍ଲିକାର୍ଜୁନ ଖଡ଼ଗେ, ଚେନ୍ନାଇରେ କେ.ସି. ବେଣୁଗୋପାଳଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ, ଖଡ଼ଗେ ବିଜେପି ସହିତ ଏଆଇଏଡିଏମକେ ଦଳର ମେଣ୍ଟକୁ ସମାଲୋଚନା କରିଥିଲେ । ମହିଳା ସଂରକ୍ଷଣ ବିଲ ଉପରେ ଉତ୍ତର ଦେଉଥିବାବେଳେ ଖଡ଼ଗେ କହିଥିଲେ ଯେ ଏଆଇଏଡିଏମକେ ଦଳ କିପରି ଆନ୍ନାଦୁରାଇଙ୍କ ଫଟୋ ଲଗାଇପାରିଲେ । ତା ପୁଣି ମୋଦୀଙ୍କ ସହିତ ଯୋଡ଼ି । ସେ ଜଣେ ଆତଙ୍କବାଦୀ । ଏହା ପରେ ସେ ସଫେଇ ଦେଇ କହିଥିଲେ ଯେ ଏଭଳି କିଛି କହି ନାହାଁନ୍ତି ।