ପଶ୍ଚିମବଙ୍ଗ ନିର୍ବାଚନକୁ ନଜରରେ ରଖି କଡ଼ା କଟକଣା ଲଗାଇଲେ ନିର୍ବାଚନ କମିଶନର। ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ରାଜ୍ୟରେ ଦୁଇ ଚକିଆ ଯାନ ଉପରେ କଡ଼ା ନିୟମ ଲାଗୁ କରିଛନ୍ତି ନିର୍ବାଚନ କମିଶନର। ବାଇକ୍ ରାଲିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବା ବେଳେ, ରାତି ୬ରୁ ସକାଳ ୬ ପର୍ଯ୍ୟନ୍ତ ବାଇକ୍ ଓ ସ୍କୁଟର ଚଳାଚଳ ଉପରେ ନିଷେଧ ଜାରି ହୋଇଛି।
ଦିନବେଳେ ମଧ୍ୟ କଟକଣା କମ୍ ନୁହେଁ। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କୌଣସି ବାଇକ୍ରେ ପଛରେ ଯାତ୍ରୀ ବସାଇବାକୁ ମନା କରାଯାଇଛି। ତେବେ ମେଡିକାଲ ଆପାତକାଳୀନ ସ୍ଥିତି, ପରିବାରିକ କାର୍ଯ୍ୟ କିମ୍ବା ପିଲାଙ୍କୁ ସ୍କୁଲ୍ ନେବା-ଆଣିବା ଭଳି ଅବସ୍ଥାରେ କିଛି କୋହଳ ରହିଛି।
ନିର୍ବାଚନୀ ପରିବେଶ ଉତ୍ତେଜନାପୂର୍ଣ୍ଣ ଥିବାରୁ ଭୟଭୀତ କରିବା ଓ ଅସନ୍ତୋଷ ସୃଷ୍ଟି ଆଶଙ୍କାକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ ହୋଇଛି। ରାଜ୍ୟର ୧୫୨ଟି ବିଧାନସଭା ମଣ୍ଡଳୀରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ତେବେ ଭୋଟ ଦିନ କିଛି କୋହ୍ଲ ମଧ୍ୟ ରହିଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ପରିବାର ସଦସ୍ୟମାନେ ବାଇକ୍ରେ ଏକାସଙ୍ଗେ ଯାଇପାରିବେ। ଯଦି କେହି ନିୟମରେ କୋହଳ ଚାହୁଁଛନ୍ତି, ସ୍ଥାନୀୟ ଥାନାରୁ ପୂର୍ବ ଅନୁମତି ନେବା ଆବଶ୍ୟକ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ମତଦାନର ଦୁଇ ଦିନ ପୂର୍ବରୁ ଏବଂ ମତଦାନ ଦିନ ପର୍ଯ୍ୟନ୍ତ ମୋଟରସାଇକେଲ ବ୍ୟବହାର ଉପରେ କଡ଼ା କଟକଣା ଜାରି କରାଯାଇଛି। କମିଶନ କହିଛନ୍ତି ଯେ ନିର୍ବାଚନ ସମ୍ପୂର୍ଣ୍ଣ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବରେ, କୌଣସି ଭୟ କିମ୍ବା ବାଧ୍ୟବାଧକତା ମୁକ୍ତ ଭାବରେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଏହି କଟକଣାଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ ହେବ।
ପଶ୍ଚିମବଙ୍ଗରେ ୨୯୪ଟି ଆସନ ପାଇଁ ଦୁଇ ପର୍ଯ୍ୟାୟରେ ଭୋଟ ହେବ ୨୩ ଓ ୨୯ ଏପ୍ରିଲ। ମେ ୪ରେ ଫଳାଫଳ ଘୋଷଣା ହେବ।