ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ବୁଧବାର ଅର୍ଥାତ ଆସନ୍ତାକାଲି ବର୍ଷେ ପୂରିବ । ୨୦୨୫ ଏପ୍ରିଲ ୨୨... ଏହା କେବଳ ଏକ ତାରିଖ ନୁହେଁ ବରଂ ଏକ ଆର୍ତ୍ତ ଚିତ୍କାର, ଯାହା ହିନ୍ଦୁଙ୍କ ହୃଦୟକୁ ଥରାଇ ଦେଇଥିଲା । ଏହା ଏମିତି ଏକ କ୍ଷତ ଯାହା କେବେ ସୁଖିବ ନାହିଁ । ପହଲଗାମର ସେହି ନୈସର୍ଗୀକ ପ୍ରାକୃତିକ ପାର୍ବତ୍ୟ ଅଞ୍ଚଳର ଶୋଭାରାଜିରେ ସେ ଦିନ ଶାନ୍ତି ଓ ହସଖୁସି ନ ଥିଲା, ଚାରି ଆଡେ ଦୁଃଖ ଏବଂ ଭୟର ମାହୋଲ ଥିଲା । କାପୁରୁଷ ଆତଙ୍କବାଦୀ ସେହି ହମଲାରେ ୨୬ ଜଣଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ । ଅନେକ ଘର ପରିବାର ଉଜାଡି ଦେଲେ ଆତଙ୍କୀ ।
ବର୍ଷେ ପୂରିବାର ଗୋଟଏ ଦିନ ପୂର୍ବରୁ ଭାରତୀୟ ସେନା ଟୁଇଟ୍ କରି ବଡ ବୟାନ ଦେଇଛନ୍ତି । ଭାରତୀୟ ସେନା କହିଛି, ଯେବେ ମଣିଷତ୍ୱର ସୀମା ଉଲ୍ଲଂଘନ ହୁଏ ତେବେ ଜବାବ ଦେବା ନିର୍ଣ୍ଣାୟକ ହୋଇଯାଏ । ଭାରତ କିଛି ଭୁଲେ ନାହିଁ । ନ୍ୟାୟ ମିଳି ଯାଇଛି । ଭାରତ ଏକଜୁଟ ଅଛି । ଉଲ୍ଲେଖନୀୟ ପହଲଗାମର ଅତି ମନୋହର ବୈସରନ ଉପତ୍ୟକାରେ ଏପ୍ରିଲ ୨୨ରେ ହସଖୁସିର ମାହୋଲ ଅଚାନକ କାନ୍ଦ ବୋବାଳି ଓ ଚିତ୍କାରରେ ପରିଣତ ହୋଇଥିଲା । ଆତଙ୍କବାଦୀ ଧର୍ମ ପଚାରି ପଚାରି ହିନ୍ଦୁ ଲୋକଙ୍କୁ ହତ୍ୟା କରି ଚାଲିଥିଲେ ।
ପହଲଗାମ ଦୁନିଆର ମିନି ସ୍ୱିଜରଲାଣ୍ଡ ଭାବେ ପରିଚିତ । ସେହି ଦିନ ଏହି ସୁନ୍ଦର ଉପତ୍ୟକାର ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ଆତଙ୍କୀ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଆଖିବୁଜା ଗୁଳିମାଡ କରିଥିଲେ । ଏହି ହମଲାରେ ୨୬ ନିରୀହ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ହୃଦୟ ବିଦାରକ ଏହି ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ଅନେକ ପରିବାର ଉଜୁଡିଗଲା ।
ଆଜି ବି ସେହି ଭୟାନକ ଦୃଶ୍ୟ ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ହମଲାର କିଛି ଦିନ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଥିଲା । ଭାରତ ମେ ୬-୭ ମଧ୍ୟରାତ୍ରିରେ ପାକିସ୍ତାନ ଓ ପିଓକେ ସ୍ଥିତ ଅନେକ ଆତଙ୍କବାଦୀ ଆଡ୍ଡାକୁ ଏୟାରଷ୍ଟ୍ରାଇକ ଜରିଆରେ ଧ୍ୱଂସ କରିଥିଲା । ଏଥିରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଥିଲେ ।