ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ୭ ରାଜ୍ୟସଭା ସାଂସଦ ଏକ ସଙ୍ଗେ ପାର୍ଟି ଛାଡି ଆମ ଆଦମୀ ପାର୍ଟିକୁ ବହୁତ ବଡ ଝଟକା ଦେଇଛନ୍ତି । ଏହି ଘଟଣା ଜାତୀୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି । ଆମ୍ ଆଦମୀ ପାର୍ଟି ଏହି ଝଟକାରେ ବିଚଳିତ ହୋଇ ପଡିଛି । ଏହି ଘଟଣା ପାର୍ଟିରେ ଥିବା ଆଭ୍ୟନ୍ତରୀଣ କନ୍ଦଳକୁ ପଦାକୁ ନେଇ ଆସିଛି । ଏହାକୁ ନେଇ ସମାଜସେବୀ ଆନ୍ନା ହଜାରେଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଆନ୍ନା ହଜାରେ କହିଛନ୍ତି, ଏହି ସବୁ ସାଂସଦମାନେ ପାର୍ଟି ଛାଡିବାର ଅର୍ଥ ଆପରେ କିଛି ଠିକ୍ ଚାଲି ନାହିଁ ।
ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ ଆନ୍ନା ହଜାରେ କହିଛନ୍ତି, ସମସ୍ତଙ୍କୁ ନିଜର କଥା ରଖିବାର ଅଧିକାର ରହିଛି । ଚଡ୍ଡା ଏବଂ ଅନ୍ୟ ଲୋକଙ୍କୁ କିଛି ସମସ୍ୟା ହୋଇପାରେ । ତେଣୁ ତ ସେମାନେ ଆପ୍ ଛାଡି ଦେଲେ । ଆନ୍ନା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିରେ ନେତୃତ୍ୱର ଅଭାବ ରହିଛି । ଯଦି ପାର୍ଟି ସଠିକ୍ ମାର୍ଗରେ ଥାଆନ୍ତା ତେବେ ଏହି ଲୋକେ ଦଳ ଛାଡି ନ ଥାନ୍ତେ । ନେତାମାନେ ପାର୍ଟି ଛାଡିବା ପଛରେ ବଡ କାରଣ ଥାଇପାରେ । ମାତ୍ର ଗଣତନ୍ତ୍ରରେ ତ ସମସ୍ତଙ୍କର ଅଧିକାର ରହିଛି ସେ କେଉଁ ଦଳରେ ରହିବେ କେଉଁ ଦଳକୁ ଛାଡିବେ ।
କାର୍ଯ୍ୟାନୁଷ୍ଠାନ ଦାବି କରିବ ଆପ୍
ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଦଳ ଅଦଳ ବଦଳ ବିରୋଧୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇପାରେ । ପାର୍ଟି ଏହା ମଧ୍ୟ କହିଛି ଯେ, ନେତାମାନେ ଦଳ ଛାଡିଛନ୍ତି ଏବଂ ବିଜେପିରେ ଯୋଗ ଦେଇଛନ୍ତି । ତେଣୁ ଏହି ନେତାଙ୍କ ରାଜ୍ୟସଭା ସଦସ୍ୟତା ରଦ୍ଦ କରାଯାଉ । ରାଜ୍ୟସଭାରେ ପାର୍ଟିର ମୁଖ୍ୟ ସଚେତକ ଏନଡି ଗୁପ୍ତାଙ୍କ ପକ୍ଷରୁ ଚେୟାରମ୍ୟାନଙ୍କୁ ଚିଠି ଲେଖାଯିବ । ଏହି ଚିଠିରେ ରାଘବ ଚଡ୍ଡା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯିବ ।