ଏଥର ସଅଳ ଆସିପାରେ (ମୌସୁମୀ) ମନସୁନ୍, ଯାହା ତାତିରେ ପୁଡ଼ୁଥିବା ଦେଶବାସୀଙ୍କୁ ଦେଇପାରେ ବଡ଼ ଆଶ୍ଵସ୍ତି। ଏପ୍ରିଲର ଜ୍ୱଳନ୍ତ ତାପରେ ସାରା ଦେଶ ଯେତେବେଳେ ୪୪ ଡିଗ୍ରି ଉପରେ ତାପମାତ୍ରାରେ ସିଜୁଛି, ସେତେବେଳେ ମେ’ ଶେଷ ସପ୍ତାହରେ କେରଳକୁ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମନସୁନ୍ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଓଡ଼ିଶାର ଝାରସୁଗୁଡ଼ା, ତାଳଚେର ଓ ଅନୁଗୁଳ ଭଳି ସହରଗୁଡ଼ିକ ଯେତେବେଳେ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନରେ ଗଣାଯାଉଛି, ସେତେବେଳେ ଏହି ଖବର ଲୋକଙ୍କ ପାଇଁ ଖୁସି ଆଣିଛି। ୟୁରୋପିୟ ଆବହାବାନୀ ସଂସ୍ଥାଙ୍କ ଆକଳନ ଅନୁସାରେ, ମେ’ ୨୫ ଆସପାସରେ କେରଳରେ ମୌସୁମୀ ପ୍ରବେଶ କରିପାରେ, ଯାହା ସାଧାରଣ ସମୟରୁ କିଛି ଆଗରୁ।
ଏହା ପଛରେ ରହିଛି ପାଣିପାଗର ବଡ଼ ଖେଳ। ମେ’ ତୃତୀୟ ସପ୍ତାହରେ ଏକ ଟ୍ରପିକାଲ୍ ସିଷ୍ଟମ୍ ଗଠିତ ହେବାର ସମ୍ଭାବନା ରହିଛି, ଯାହା ଆଣ୍ଡାମାନ-ନିକୋବାର ଅଞ୍ଚଳରୁ ଆର୍ଦ୍ରତା ଟାଣି ମନସୁନ୍କୁ ଆଗକୁ ଧକ୍କା ଦେଇପାରେ। ସେପଟେ ଭୂମିଭାଗର ଅତ୍ୟଧିକ ତାପମାତ୍ରା ମଧ୍ୟ ଏହାକୁ ସହାୟତା କରୁଛି। ଯଦି ଏହି ପୂର୍ବାନୁମାନ ସତ୍ୟ ହୁଏ, ତେବେ ତାତିରୁ ମିଳିବ ଶୀଘ୍ର ମୁକ୍ତି ଓ ଚାଷୀମାନଙ୍କ ପାଇଁ ଆସିବ ଖୁସିର ବର୍ଷା।