ଚଳିତ ଆଇପିଏଲରେ ରାଜସ୍ଥାନ ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ପ୍ରଥମ ୪ ଟି ମ୍ୟାଚ ଜିତିଥିଲା ଓ ଏହି ବିଜୟ ଧାରାକୁ ରୋକିବାରେ ସଫଳ ହୋଇଥିଲା ହାଇଦ୍ରାବାଦ । ୧୩ ଏପ୍ରିଲ ୨୦୨୬ ରେ ସନରାଇଜର୍ସ ହାଇଦ୍ରାବାଦ ୨୨୭ ରନର ଟାର୍ଗେଟ ରାଜସ୍ଥାନ ରୟାଲ୍ସ ସାମ୍ନାରେ ରଖିଥିଲାବେଳେ ୫୭ ରନରେ ବାଜିମାରିଥିଲା ହାଇଦ୍ରାବାଦ । ଏହି ପରାଜୟର ପ୍ରତିଶୋଧ ନେବା ପାଇଁ ଆଜି ନିଜ ଘରୋଇ ଷ୍ଟାଡିୟମରେ ଅଣ୍ଟା ଭିଡିଛି ରାଜସ୍ଥାନ ରୟାଲ୍ସ । ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁରରେ ଆଜି ରାଜସ୍ଥାନ ଓ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଦୁଇ ଦଳ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ଲେଅଫ ଦୌଡ଼ରେ ଆଗୁଆ ରହିବାକୁ ହେଲେ ପ୍ରତି ମ୍ୟାଚରେ ଜିତିବାକୁ ହେବ । ରାଜସ୍ଥାନ ୭ ଟି ମ୍ୟାଚରୁ ୫ ଟି ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ଓ ହାଇଦ୍ରାବାଦ ୭ ଟି ମ୍ୟାଛୁ ୪ ଟି ବିଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।
ରାଜସ୍ଥାନ ରୟାଲ୍ସର ଶକ୍ତି ଓ ଦୁର୍ବଳତା
ବିସ୍ଫୋରକ ବ୍ୟାଟିଂ ବଳରେ ପ୍ରଥମ ୩ ଟି ମ୍ୟାଚରେ ଏକତରଫା ବିଜୟ ହାସଲ କରିଥିବା ରାଜସ୍ଥାନ ଶେଷ ତିନୋଟି ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ୟଶସ୍ଵୀ ଜେସୱାଲ ଓ ବୈଭବ ସୂର୍ଯ୍ୟବଂଶୀ ଆଉଟ ହେବାପରେ ରାଜସ୍ଥାନର ବ୍ୟାଟିଂ ଦୁର୍ବଳ ଭଳି ନଜର ଆସୁଛି । କୋଲକାତା ବିପକ୍ଷ ମ୍ୟାଚରେ ରାଜସ୍ଥାନ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୫ ରନ ସଂଗ୍ରହ କରିଥିଲା, ଯାହାଫଳରେ କୋଲକାତା ଏକ ସହଜ ବିଜୟ ହାସଲ କଲା । ଏହି ମ୍ୟାଚରେ ବୈଭବ ଓ ଜେସୱାଲ ୫୨ ବଲରେ ୮୧ ରନର ଭାଗିଦାରୀତା କରିଥିଲେ ମଧ୍ୟ ରାଜସ୍ଥାନ ୧୫୫ ରନରେ ସୀମିତ ରହିଲା । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୟଶସ୍ଵୀ ଜେସୱାଲ ୧ ଓ ବୈଭବ ସୂର୍ଯ୍ୟବଂଶୀ ଖାତା ନଖୋଲି ଆଉଟ ହୋଇଥିବାବେଳେ ରାଜସ୍ଥାନ ଏକତରଫା ପରାଜିତ ହୋଇଥିଲା । ଏହା ପରେ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ବୈଭବ ୧୧ ବଲରେ ୮ ରନ ଓ ଜେସୱାଲ ୧୨ ବଲରେ ୨୨ ରନ କରି ଆଉଟ ହେବାରୁ ୧୫୯ ରନ ସଂଗ୍ରହ କରିଥିଲା ରାଜସ୍ଥାନ । ଭଲ ବୋଲିଂ ବଳରେ ରାଜସ୍ଥାନ, ଲକ୍ଷ୍ନୌ ବିପକ୍ଷ ମ୍ୟାଚ ଜିତିଥିଲା ସତ କିନ୍ତୁ ଟପ୍ ଅର୍ଡର ଫେଲ ମାରିବାରୁ ବଡ ସ୍କୋର କରିବାରେ ରାଜସ୍ଥାନ ଅସଫଳ ହୋଇଥିଲା । ରାଜସ୍ଥାନର ବୋଲିଂ ୟୁନିଟ ଭଲ ରହିଛି ଯଦି ବ୍ୟାଟିଂ ୟୁନିଟ ଫେଲ ମାରୁଛି ତେବେ ରାଜସ୍ଥାନକୁ ମ୍ୟାଚ ଜିତିବା କଷ୍ଟକର ହେଉଛି । ତେଣୁ ଆଜିର ମ୍ୟାଚରେ ବ୍ୟାଟିଂ ୟୁନିଟକୁ ଭଲ ପ୍ରଦର୍ଶନ କରିବାକୁ ହେବ ।
ହାଇଦ୍ରାବାଦର ବୋଲିଂ ୟୁନିଟର କମ୍-ବ୍ୟାକ୍
ଗତ କିଛି ବର୍ଷ ଧରି ବିସ୍ଫୋରକ ବ୍ୟାଟିଂ ସହ ପଡିଆକୁ ଓହ୍ଲାଉଥିବା ହାଇଦ୍ରାବାଦ ଚଳିତ ସିଜିନ ଆରମ୍ଭରୁ ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ବ୍ୟାଟିଂ ବଳରେ ବଡ ସ୍କୋର କରିବାରେ ସକ୍ଷମ ହେଉଥିଲେ ମଧ୍ୟ ଖରାପ ବୋଲିଂ ପାଇଁ ମ୍ୟାଚ ହାରୁଥିଲା ହାଇଦ୍ରାବାଦ । ରାଜସ୍ଥାନ ବିପକ୍ଷ ମ୍ୟାଚରେ ପ୍ରଫୁଲ ହିଙ୍ଗେ ଓ ସାକିବ ହୁସେନଙ୍କ ଚମତ୍କାର ବୋଲିଂ ବଳରେ ହାଇଦ୍ରାବାଦ ମ୍ୟାଚ ଜିତିଥିଲା । ଏହି ମ୍ୟାଚ ପରେ ହାଇଦ୍ରାବାଦର ବୋଲିଂ ମଧ୍ୟ ବେଶ ସୁଦୃଢ ନଜର ଆସୁଛି । ଚେନ୍ନାଇ ଓ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଇଶାନ ମାଲିଙ୍ଗା ଚମତ୍କାର ବୋଲିଂର ପ୍ରଦର୍ଶନ କରିଛନ୍ତି । ପ୍ୟାଟ କମିନ୍ସଙ୍କ ଅନୁପସ୍ଥିତିରେ ଦୁର୍ବଳ ନଜର ଆସୁଥିବା ହାଇଦ୍ରାବାଦର ବୋଲିଂ ୟୁନିଟ ଧୀରେ ଧୀରେ ମଜବୁତ ହେବାରେ ଲାଗିଛି, ଯାହାର ଫଳସ୍ୱରୂପ ଶେଷ ୩ ଟି ମ୍ୟାଚରେ ହାଇଦ୍ରାବାଦକୁ ବିଜୟର ସ୍ୱାଦ ଚାଖିବାକୁ ମିଳିଛି । ବିସ୍ଫୋରକ ବ୍ୟାଟିଂ ଲାଇନ-ଅପ ସହ ସନ୍ତୁଳିତ ବୋଲିଂ ଏବେ ହାଇଦ୍ରାବାଦକୁ ନୂଆ ମୋଡ଼ ପ୍ରଦାନ କରିଛି ।