ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ଓ ଇଂଲଣ୍ଡରେ କାଉଣ୍ଟି କ୍ରିକେଟରେ ଏସେକ୍ସ ପାଇଁ ଖେଳୁଥିବା ଅଲରାଉଣ୍ଡର ଡଗ ବ୍ରେସୱେଲଙ୍କୁ କୋକେନ ବ୍ୟବହାର କରୁଥିବା କାରଣରୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଛି । ଗତ ବର୍ଷ କାଉଣ୍ଟି ଚାମ୍ପିଅନସିପ ସମୟରେ ଏହି ନିଶା ସାମଗ୍ରୀ ସେବନ କରୁଥିବା କାରଣରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଗତ ବର୍ଷ ୨୫ ସେପ୍ଟେମ୍ବର ୨୦୨୫ ରେ ଡୋପ ଟେଷ୍ଟର ପରିଣାମ ଆସିଥିଲା ଓ ଏଥିରେ ତାଙ୍କ ଠାରୁ ଯେଉଁ ନମୁନା ସଂଗ୍ରହ କରାଯାଇଥିଲା, ସେଥିରେ କୋକେନ ଥିବା ଜଣାପଡିଥିଲା । ସେହି ସମୟରେ ସେ ଏସେକ୍ସ ପାଇଁ ସମରସେଟ ବିପକ୍ଷ ମ୍ୟାଚ ଖେଳୁଥିଲେ । ଡୋପ ଟେଷ୍ଟର ପରିଣାମ ଆସିବା ପରେ, ବ୍ରେସୱେଲ ୨୮ ଡିସେମ୍ବରରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।
ମ୍ୟାଚର ପୂର୍ବ ଦିନ ସମାପ୍ତ ହେବା ପରେ ବ୍ରେସୱେଲ କୋକେନ ସେବନ କରିଥିବା ସ୍ୱୀକାର କରିଥିଲେ । ଏହା ପରେ ମଧ୍ୟ ଦ୍ଵିତୀୟ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ସେ ପୁଣି କୋକେନ ସେବନ କରିଥିଲେ । ଅବସର ଘୋଷଣା କରିବା ପରେ ମଧ୍ୟ ବ୍ରେସୱେଲ ଏସେକ୍ସ ପାଇଁ ଚାମ୍ପିଅନସିପର ଶେଷ ତିନୋଟି ମ୍ୟାଚ ଖେଳିଥାନ୍ତେ, କିନ୍ତୁ ଏହି ଘଟଣା ପରେ ତାଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଛି ।
ବ୍ରେସୱେଲଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ୨୦୨୪ ରେ ସେ ଗୋଟିଏ ମାସ ପାଇଁ ବ୍ୟାନ ହୋଇସାରିଛନ୍ତି । ନ୍ୟୁଜିଲାଣ୍ଡର ଏକ ଘରୋଇ ଟି-୨୦ ଲିଗ, ସୁପର ସ୍ମାଶ୍ ସମୟରେ କୋକେନ ସେବନ କରି ଦୋଷୀ ସାବ୍ୟସ୍ଥ ହୋଇଥିଲେ । ବର୍ତ୍ତମାନ ହୋଇଥିବା ନିଲମ୍ବନ ପ୍ରକ୍ରିୟା ୨୪ ନଭେମ୍ବର ୨୦୨୫ ରୁ ୨୩ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ଲାଗୁ କରାଯିବ ଓ ସେ ଏହି ଦଣ୍ଡକୁ ସ୍ୱୀକାର କରିଛନ୍ତି ।
ଡଗ ବ୍ରେସୱେଲ ନ୍ୟୁଜିଲାଣ୍ଡର ଜଣେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି । ସେ ନ୍ୟୁଜିଲାଣ୍ଡ ପାଇଁ ୨୮ ଟି ଟେଷ୍ଟ, ୨୧ ଟି ଦିନିକିଆ ଓ ୨୦ ଟି ଅନ୍ତର୍ଜାତୀୟ ଟି-୨୦ ଖେଳିସାରିଛନ୍ତି । ଏହା ବ୍ୟତୀତ ସେ ଗୋଟିଏ ଆଇପିଏଲ ମ୍ୟାଚ ମଧ୍ୟ ଖେଳିଛନ୍ତି । ସେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) ପାଇଁ ୨୦୧୨ ରେ ଗୋଟିଏ ମ୍ୟାଚ ଖେଳିଥିଲେ ।