ଆଇପିଏଲ ୨୦୨୬ ର ୩୫ ତମ ମ୍ୟାଚ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନରେ ୬ ଟି ମ୍ୟାଚରୁ ୩ ଟି ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ଅପରାଜିତ ରହି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଓ ୬ ଟି ମ୍ୟାଚରୁ ୫ ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ ।
ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନରେ ସ୍ଥିର ପ୍ରଦର୍ଶନ ଖୋଜୁଥିବାବେଳେ ବର୍ତ୍ତମାନ ପଞ୍ଜାବକୁ ପରାସ୍ତ କରି ସିଜିନରେ ଆଗକୁ ବଢିବାର ସୁଯୋଗ ରହିଛି । ପଞ୍ଜାବ ବିପକ୍ଷ ମ୍ୟାଚ ପରେ ଦିଲ୍ଲୀର ପରବର୍ତ୍ତୀ ୪ ଟି ମ୍ୟାଚରୁ ୩ ଟି ମ୍ୟାଚ ଘରୋଇ ଷ୍ଟାଡିୟମରେ ରହିଛି । ତେଣୁ ଦିଲ୍ଲୀ ପାଖେ ଭଲ ସୁଯୋଗ ରହିଛି ନିଜ ରଣନୀତି ମଜବୁତ କରିବା ପାଇଁ । ଯଦି ଦିଲ୍ଲୀ ଆଜି ମ୍ୟାଚ ସହ ନିଜ ପରବର୍ତ୍ତୀ ୩ ଘରୋଇ ମ୍ୟାଚ ଜିତିବାରେ ସଫଳ ହୁଏ ତେବେ ୧୨ ପଏଣ୍ଟରେ ପହଞ୍ଚିଯିବ, ଯାହାଫଳରେ ପ୍ଲେଅଫ ଦୌଡରେ ନିଜ ସ୍ଥାନ ପକ୍କା କରିବା ପାଇଁ ସହଜ ହେବ ।
ଦିଲ୍ଲୀର ବ୍ୟାଟିଂ ୟୁନିଟ ବେଶ ସୁଦୃଢ ନଜର ଆସୁଥିବାବେଳେ, ବୋଲିଂ ୟୁନିଟ ବେଶ ଦୁର୍ବଳ ନଜ ଆସୁଛି । ବ୍ୟାଟିଂ ବିଭାଗରେ କେଏଲ ରାହୁଲ ଏବଂ ପଥୁମ୍ ନିସାଙ୍କା ଦଳକୁ ଦୃଢ଼ ଆରମ୍ଭ ପ୍ରଦାନ କରୁଛନ୍ତି। ଯୁବ ବ୍ୟାଟର ସମୀର ରିଜଭି, ଟ୍ରିଷ୍ଟନ ଷ୍ଟବ୍ସ ମଧ୍ୟକ୍ରମରେ ଏକ ନିର୍ଭରଯୋଗ୍ୟ ଭୂମିକା ନିର୍ବାହ କରୁଛନ୍ତି। ଅଭିଜ୍ଞ ଡେଭିଡ ମିଲର ଦିଲ୍ଲୀ ପାଇଁ ଫିନିସର ରୂପେ ଠିଆ ହେଉଛନ୍ତି। ଅନ୍ୟପଟେ ବୋଲିଂ ବିଭାଗ ନିଜ ପ୍ରଦର୍ଶନରେ ନିରାଶ କରିଛି, ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଅଧିନାୟକ ଅକ୍ସର ପଟେଲ ଗୋଟେ ୱିକେଟ୍ ନେବାରେ ସଫଳ ହୋଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ଥା ହୋଇଥିଲେ । ଏହା ବ୍ୟତୀତ ମୁକେଶ କୁମାର, ଲୁଙ୍ଗି ଏନଗିଡି, କୁଲଦୀପ ଯାଦବ ଓ ଟି. ନଟରାଜନ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍ରେ ମଧ୍ୟ ୱିକେଟ୍ ନେବାରେ ବୋଲରଙ୍କ ପ୍ରଦର୍ଶନ ନିରାଶାଜନକ ରହିଥିଲା।
ଶ୍ରେୟସ ଆୟର ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେବା ପରଠାରୁ ପଞ୍ଜାବର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ୨୦୨୫ ସିଜିନରେ ରନର-ଅପ ହେବା ସହ ଚଳିତ ସିଜିନରେ ମଧ୍ୟ ଅପରାଜିତ ରହିଛି । ପଞ୍ଜାବର ପ୍ରଭସିମରନ୍ ସିଂହ ଏବଂ ପ୍ରିୟାଂଶ ଆର୍ୟା ବିସ୍ଫୋରକ ବ୍ୟାଟିଂ କରି ପଞ୍ଜାବକୁ ଏକ ଦୃଢ ଆରମ୍ଭ ପ୍ରଦାନ କରୁଛନ୍ତି । ମଧ୍ୟ୍ୟକ୍ରମରେ କୁପର କନୋଲି ଓ ଶ୍ରେୟସ ଆୟର ରନ ଗତି ବଜାୟ ରଖିବା ସହ ହାତ ଖୋଲି ବ୍ୟାଟିଂ କରୁଛନ୍ତି । ବୋଲିଂରେ ଅର୍ଶଦୀପ ସିଂହ, ବିଜୟ କୁମାର ବୈଶାଖ, ମାର୍କୋ ୟାନସେନ ଓ ୟୁଜବେନ୍ଦ୍ର ଚହଲ ନିରନ୍ତର ୱିକେଟ୍ ନେବାରେ ସଫଳ ହେଉଛନ୍ତି । ଏହା ବ୍ୟତୀତ ଆବଶ୍ୟକ ସମୟରେ ଶଶାଙ୍କ ସିଂ ମଧ୍ୟ ଭାଗିଦାରୀତା ଭାଙ୍ଗିବାରେ ସଫଳ ହେଉଛନ୍ତି ।