ସମ୍ବଲପୁର ମହିଳା କଲେଜରେ ଦେଖିବାକୁ ମିଳିଛି ବିବାଦ। ଇଂରାଜୀ ଅଧ୍ୟାପକ ଡ଼ଃ ପିତାମ୍ବର ବେହେରାଙ୍କ ବିରୋଧରେ ଛାତ୍ରୀମାନେ ଅଶ୍ଳୀଳ ଟିପ୍ପଣୀ ଓ ଅସଦାଚରଣ ଅଭିଯୋଗ ଆଣିବା ପରେ ପରିସ୍ଥିତି ତୀବ୍ର ହୋଇଛି। ଘଟଣା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଢେଙ୍କାନାଳ ଅଟୋନୋମସ୍ କଲେଜକୁ ବଦଳି କରାଯାଇଛି।
ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ, ଡ଼ଃ ବେହେରା କ୍ଲାସ୍ ଓ ବ୍ୟକ୍ତିଗତ ଆଲୋଚନା ସମୟରେ ଅସଭ୍ୟ ଭାଷା ବ୍ୟବହାର କରୁଥିଲେ ଏବଂ ଭୟଭୀତ କରୁଥିଲେ। ଏହାକୁ ନେଇ ସେମାନେ ଇଂରାଜୀ ବିଭାଗ ମୁଖ୍ୟ ମାନସ୍ବିନୀ ପରିଡାଙ୍କୁ ଅବଗତ କରିଥିଲେ। କିନ୍ତୁ ପରେ ତାଙ୍କୁ ମଧ୍ୟ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ମହିଳା ଡିଗ୍ରୀ କଲେଜକୁ ବଦଳି କରାଯିବା ଘଟଣାକୁ ଆହୁରି ସନ୍ଦେହ ସୃଷ୍ଟି କରିଛି।
ଅଭିଯୋଗ ଆହୁରି ଗୁରୁତର ହୋଇଥିଲା, ଯେତେବେଳେ ଡ଼ଃ ବେହେରା ନିଜେ ବିଭାଗ ମୁଖ୍ୟଙ୍କ କଥାବାର୍ତ୍ତାକୁ ଅନୁମତି ବିନା ରେକର୍ଡ କରିଥିବା ଅଭିଯୋଗ ମଧ୍ୟ ଆସିଛି। ଏନେଇ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିବା ପରେ ଇଣ୍ଟର୍ନାଲ କମ୍ପ୍ଲେଣ୍ଟସ୍ କମିଟି (ICC) ଘଟଣାର ତଦନ୍ତ ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ ବଦଳି ବ୍ୟତୀତ କୌଣସି କଠୋର ପଦକ୍ଷେପ ନିଆଯାଇନାହିଁ।
ଏହି ଘଟଣାକୁ ନେଇ ଅଭିଭାବକ ଓ ‘ପ୍ରୋଗ୍ରେସିଭ୍ ସମ୍ବଲପୁର’ ପରି ସଂଗଠନମାନେ ପ୍ରତିବାଦ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ଏନେଇ ଜଣେ ଛାତ୍ରୀ ମଧ୍ୟ ପୋଲିସ୍ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ତଥାପି ପ୍ରଶାସନ ପକ୍ଷରୁ କେବଳ ବଦଳି ମାଧ୍ୟମରେ ମାମଲାକୁ ସମାଧାନ କରିବା ଚେଷ୍ଟା ହେଉଛି ବୋଲି ଅଭିଯୋଗ ହେଉଛି। ଏହି ଘଟଣା ଶିକ୍ଷାନୁଷ୍ଠାନରେ ସୁରକ୍ଷା ଓ ଦାୟିତ୍ୱବୋଧକୁ ନେଇ ଗଭୀର ପ୍ରଶ୍ନ ଉଠାଇଛି।