କଳାହାଣ୍ଡି ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପାଇଁ ପ୍ରଶାସନ ପ୍ରସ୍ତୁତ। ଏନେଇ ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ରାଇସ ମିଲ ମାଲିକମାନେ ଯୋଗ ଦେଇଥିଲେ।
ଆସନ୍ତା ମେ ୨୦ ତାରିଖରୁ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ୯୩ଟି ମଣ୍ଡି ମାଧ୍ୟମରେ ପ୍ରାୟ ୫୬ ହଜାର ଚାଷୀଙ୍କ ଠାରୁ ୪୦ ଲକ୍ଷ କ୍ଵିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି।
ତେବେ ଖରିଫ ଧାନ ଏପର୍ଯ୍ୟନ୍ତ ମିଲମାନଙ୍କରେ ମଜୁତ ରହିଥିବାରୁ ନୂତନ ଧାନ ସଂଗ୍ରହ ପାଇଁ ଜାଗା ଅଭାବ ନେଇ ମିଲ ମାଲିକମାନେ ଚିନ୍ତା ପ୍ରକାଶ କରିଛନ୍ତି। ଏଥିପାଇଁ ଅତିରିକ୍ତ ଗୋଦାମ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ଚାଲିଥିବାବେଳେ, ଚାଷୀମାନଙ୍କୁ ସୁବିଧାଜନକ ଧାନ କ୍ରୟ ପ୍ରକ୍ରିୟା ନିଶ୍ଚିତ କରାଯିବ ବୋଲି କୁହାଯାଇଛି।