ରାୟଗଡା: ଏକ ଦୁଃଖଦ ଘଟଣା ରାୟଗଡା ମୁନିଗୁଡା ଅଞ୍ଚଳରୁ ଆସିଛି। ବିଶାଖାପାଟଣାରେ ଚିକିତ୍ସା ସାରି ଘରକୁ ଫେରୁଥିବା ସମୟରେ ଟ୍ରେନରୁ ଖସି ଶ୍ୱଶୁର ଓ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି।
ମୃତକମାନେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ କିକିଆ ଗ୍ରାମର ବୋଲି ଜଣାପଡିଛି। ଅଶୀ ବର୍ଷୀୟ ଶ୍ୱଶୁର ଲିଙ୍ଗରାଜ ସାହାଙ୍କ ମୃତଦେହ ରାୟଗଡା ରେଳଷ୍ଟେସନର ୫ନମ୍ବର ପ୍ଲାଟଫର୍ମରେ ମିଳିଛି। ସେହିପରି ୬୨ ବର୍ଷୀୟ ଜ୍ୱାଇଁ ସୁଦାମ ନାୟକଙ୍କ ମୃତଦେହ ମୁନିଗୁଡା ନିକଟ ଦହିଖାଲ ଷ୍ଟେସନ ପାଖରେ ମିଳିଥିଲା।
ଦୁଇଜଣ ଏକସଙ୍ଗେ ଟ୍ରେନରେ ଯାତ୍ରା କରୁଥିବା ବେଳେ କିପରି ଅଲଗା ଅଲଗା ସ୍ଥାନରେ ପଡ଼ିଗଲେ, ସେନେଇ ରହସ୍ୟ ସୃଷ୍ଟି ହେଉଛି। ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ।
ମୁନିଗୁଡା ଜିଆରପି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମୃତଦେହକୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପରିବାରକୁ ଶୋକାକୁଳ କରିଥିବା ବେଳେ, ଏହାର ସତ୍ୟତା କଣ ତାହା ଖୋଜିବା ପାଇଁ ପୋଲିସ ତଦନ୍ତ ଉପରେ ସବୁଙ୍କ ନଜର ରହିଛି। ଅଲଗା ଅଲଗା ସ୍ଥାନରୁ ମୃତ ଦେହ ମିଳିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାରବର୍ଗ ଅଭିଯୋଗ କହିଛନ୍ତି। ଏହାକୁ ନେଇ ରାୟଗଡ଼ା ରେଲଓ୍ବେ ପୋଲିସ ତଦନ୍ତ ଆରମ୍ଭ କରିଛି।