ଅନୁଗୁଳ ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ଘଟଣା, ଯେଉଁଠାରେ ମୃତ୍ୟୁରେ ସରିଛି ପ୍ରେମର ଅନ୍ତ। ପ୍ରେମିକଙ୍କ ଆତ୍ମହତ୍ୟାର କେବଳ ଦିନକ ପରେ ନାବାଳିକା ପ୍ରେମିକା ମଧ୍ୟ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି।
ସୂଚନା ଅନୁଯାୟୀ, ଅନୁଗୁଳ ସଦର ଥାନା ସମାକୋଇ ଗାଁର ଜଣେ ନାବାଳିକା ସଖୀ ସେଣ୍ଟରର ବାଥରୁମରେ ଓଢଣିରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି। ଗତକାଲି ତାଙ୍କ ପ୍ରେମିକ ଢେଙ୍କାନାଳ ଜିଲ୍ଲା ନିମିଧା ଗାଁର ବେଣୁପାଣି ସାହୁ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା।
ଉଭୟ କିଛି ଦିନ ପୂର୍ବରୁ ଘରୁ ପଳାଇ ଲୁଚି ବିବାହ କରି ମୁମ୍ବାଇ ଓ ପରେ ଚେନ୍ନାଇରେ ରହୁଥିଲେ। ତେବେ ଝିଅ ଘର ପକ୍ଷରୁ ଅଭିଯୋଗ ହେବା ପରେ ଅନୁଗୁଳ ସଦର ଥାନା ପୋଲିସ ବେଣୁଙ୍କ ବାପା-ମାଆ ସହ ଦୁଇ ସମ୍ପର୍କୀୟଙ୍କୁ ଧରି ଦୁଇରୁ ତିନି ଦିନ ଧରି ଅଟକ ରଖିଥିବା ଅଭିଯୋଗ ହୋଇଛି। ତେବେ ଘରକୁ ଫେରିବା ପରେ ପୋଲିସ ଚାପ ଓ ଗିରଫ ଭୟରେ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ନାବାଳିକା ପତ୍ନୀ ମଧ୍ୟ ଏନେଇ ନିଜ ବାପା-ମାଙ୍କୁ ଦାୟୀ କରି ଦୋଷ ଲଦିଥିଲା।
ଗତକାଲି ପ୍ରେମିକଙ୍କ ମୃତ୍ୟୁ ପରେ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ସଖୀ ସେଣ୍ଟରରେ ରଖିଥିଲା। କିନ୍ତୁ ପ୍ରେମିକଙ୍କ ମୃତ୍ୟୁର ଖବର ସହି ପାରିନଥିବା ନାବାଳିକା ଜଣକ ଆଜି ସକାଳୁ ବାଥରୁମକୁ ଯାଇ ଓଢଣିରେ ଝୁଲି ପଡ଼ିଥିଲେ।
ଅନ୍ୟପଟେ, ପ୍ରେମିକ ବେଣୁପାଣିଙ୍କ ମୃତ୍ୟୁକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ପୋଲିସ ତାଙ୍କ ପିତାମାତାଙ୍କୁ ଅଟକ ରଖିଥିବାରୁ ମାନସିକ ଚାପରେ ବେଣୁ ଏହି ପଦକ୍ଷେପ ନେଇଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ଏବଂ ପୋଲିସ ଘଟଣାର ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ: କାହିଁକି ଜୀବନ ହାରିଲେ ନାବାଳିକାଙ୍କୁ ନେଇ ଫେରାର ଥିବା ଯୁବକ; ପୋଲିସ ଚାପ ନା ଲୋକଲଜ୍ଜାର ଭୟ?