ସାରା ଓଡ଼ିଶା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ଛଟପଟ କରୁଛି। ଆକାଶରୁ ମଣେ ନିଆଁ ବର୍ଷୁଛି, ଗରମ ସହ ଗୁଳୁଗୁଳି ଲୋକଙ୍କୁ କଲବଲ କରାଉଛି। ସକାଳ ୮ଟାରୁ ଆରମ୍ଭ ହେଉଥିବା ତାତି, ଦିନ ୧୧ଟାରୁ ୩ଟା ମଧ୍ୟରେ ଅସହ୍ୟ ରୂପ ନେଉଛି। ରାସ୍ତାଘାଟ ଶୂନଶାନ, ଲୋକମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି।
ଗତକାଲି ପୁଣି ଥରେ ଝାରସୁଗୁଡ଼ା ଓଡ଼ିଶାର ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି। ଏଠାରେ ପାରଦ ୪୪.୮ ଡିଗ୍ରୀକୁ ଛୁଇଁଥିବା ବେଳେ, ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଉତ୍ତରପ୍ରଦେଶର ପ୍ରୟାଗରାଜ ୪୫.୨ ଡିଗ୍ରୀ ସହ ପ୍ରଥମ ସ୍ଥାନରେ ରହିଛି। ରାଜ୍ୟର ଟିଟିଲାଗଡ଼ରେ ୪୪ ଡିଗ୍ରୀ, ସମ୍ବଲପୁରରେ ୪୩.୬, ହୀରାକୁଦରେ ୪୩.୪, ଅନୁଗୁଳରେ ୪୩.୧ ଏବଂ ବଲାଙ୍ଗିରରେ ୪୩ ଡିଗ୍ରୀ ରେକର୍ଡ ହୋଇଛି।
ସୁନ୍ଦରଗଡ଼, ତାଳଚେର, ଭବାନୀପାଟଣା, ସୋନପୁର, ପାରଳାଖେମୁଣ୍ଡି ଓ ନୂଆପଡ଼ାରେ ମଧ୍ୟ ପାରଦ ୪୨ରୁ ୪୩ ଡିଗ୍ରୀ ମଧ୍ୟରେ ଘୁରିବାରୁ ଜନଜୀବନ ପୂରାପୂରି ପ୍ରଭାବିତ ହୋଇଛି। ପଶ୍ଚିମରୁ ଉପକୂଳ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହର ଆକ୍ରମଣ ଜାରି ରହିଛି।
ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦୁଇ ଦିନ ଯାଏ ଏହି ତାତିରୁ ରାହାତ ମିଳିବା ନାହିଁ। ତେବେ ଦୁଇ ଦିନ ପରେ କିଛି ଜିଲ୍ଲାରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ। ବିଜୁଳି ଓ ଘଡ଼ଘଡ଼ି ସମ୍ଭାବନାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେପଟେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୨୭ ତାରିଖରୁ ସମସ୍ତ ସ୍କୁଲରେ ଆଗୁଆ ଖରା ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ନିଷ୍ପତ୍ତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ଵସ୍ତି ଦେଇଛି।