ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱ ତେଲ ବଜାରରେ ପଡ଼ିଥିବା ବେଳେ, ଓଡ଼ିଶାରେ ତେଲ ଯୋଗାଣ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ସମୁଦ୍ର ପଥରେ ତେଲ ଆସିବାରେ ବାଧା ସୃଷ୍ଟି ହେଉଥିବା ସତ୍ୱେ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ଦେଖାଯାଇନାହିଁ। କିନ୍ତୁ ଏହାର ମଧ୍ୟରେ ହଠାତ୍ କିଛି କଟକଣା ଲାଗୁ ହେବାରୁ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ସରକାରୀ ତେଲ କମ୍ପାନୀମାନେ ଏକକାଳୀନ ୫୦ ଲିଟରରୁ ଅଧିକ ପେଟ୍ରୋଲ ଓ ୫୦୦ ଲିଟରରୁ ଅଧିକ ଡିଜେଲ ବିକ୍ରି ଉପରେ ଅନୁଷ୍ଠାନିକ ରୋକ୍ ଲଗାଇଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ଏହି ନିୟମ ଉଲ୍ଲଂଘନ କଲେ ତେଲ ଯୋଗାଣ ବନ୍ଦ କରାଯିବ। ଭୁବନେଶ୍ୱରରେ ଥିବା କିଛି ପେଟ୍ରୋଲ ପମ୍ପରେ ଏହି ସମ୍ପର୍କିତ ନୋଟିସ୍ ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଛି।
ତଥାପି, ଇଣ୍ଡିଆନ ଅଏଲ୍ର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ତେଲ ଅଭାବ ନୁହେଁ। ବରଂ, ମହଜୁଦକାରୀ ଓ ବାଟମାରଣାକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବଡ଼ ପରିମାଣରେ ତେଲ କ୍ରୟ କରି ଅନ୍ୟତ୍ର ବିକ୍ରି କରାଯାଉଥିବା ଘଟଣାକୁ ନଜରରେ ରଖି, କମ୍ପାନୀମାନେ ସତର୍କ ହୋଇଛନ୍ତି।
ରାଜ୍ୟରେ ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ୨୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ରହିଛି। ଏଥିରୁ କେବଳ ଇଣ୍ଡିଆନ ଅଏଲ୍ର ମଧ୍ୟ ୧୪୦୦ରୁ ଅଧିକ ପମ୍ପ ରହିଥିବାରୁ ଏହି କଟକଣା ସାରା ରାଜ୍ୟରେ ଲାଗୁ ହୋଇଥିବା ବିଶ୍ୱାସ କରାଯାଉଛି।
ସାଧାରଣ ଗ୍ରାହକଙ୍କ ପାଇଁ ଏହାର କୌଣସି ପ୍ରଭାବ ନଥିବା କୁହାଯାଉଛି। ଗାଡ଼ିର ଟାଙ୍କିରେ ଏତେ ବଡ଼ ପରିମାଣରେ ତେଲ ପଡ଼ିପାରେନି, ତେଣୁ ଏହା ମୂଳତଃ ବ୍ୟାପାରିକ ଭାବେ ତେଲ ସଂଗ୍ରହକୁ ରୋକିବାରେ ଏକ ପ୍ରୟାସ। ତେଲ ଯୋଗାଣ ସ୍ୱାଭାବିକ ଥିଲେ ମଧ୍ୟ, ଏଭଳି କଟକଣା ଆଗାମୀ ଦିନରେ କିଛି ବଡ଼ ସଙ୍କେତ ଦେଉଛି କି? ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି।