ଚିଲିକାର ହୃଦୟ ନଳବଣରେ ଦେଖିବାକୁ ମିଳିଛି ଅଗ୍ନିର ଆତଙ୍କ। ଅଭୟାରଣ୍ୟ ନଳବଣ ଏବେ ନିଆଁରେ ଜଳୁଛି, ଯାହା ପରିବେଶ ପ୍ରେମୀ ଓ ପ୍ରଶାସନକୁ ଚିନ୍ତାରେ ପକାଇଦେଇଛି। ଗତ ଗୁରୁବାର ରାତିରେ ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡ ପ୍ରାୟ ୧ କିମି ଅଞ୍ଚଳକୁ ଆଚ୍ଛାଦିତ କରିଛି। ଅଭିଯୋଗ ଅନୁସାରେ, କେତେକ ଦୁବୃର୍ତ୍ତ ମାଛ ଧରିବା ଉଦ୍ଦେଶ୍ୟରେ ନଳବଣରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି।
ଘଟଣା ସ୍ଥଳରେ କଣାସ, ଟାଙ୍ଗୀ ଓ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଦଳ ଦିନରାତି ନିଆଁ ନିୟନ୍ତ୍ରଣ ପାଇଁ ଲଢ଼ୁଛନ୍ତି। ଏଥିସହିତ ACF ଓ DFO ମଧ୍ୟ ପହଁଞ୍ଚି ଡ୍ରୋନ ସର୍ଭେ ମାଧ୍ୟମରେ ପରିସ୍ଥିତି ଉପରେ ନଜରରେ ରଖିଛନ୍ତି। ତଥାପି ନିଆଁ ପୂରାପୂରି ନିୟନ୍ତ୍ରଣକୁ ଆସିନାହିଁ।
ଏହି ଅଗ୍ନିକାଣ୍ଡର ସବୁଠାରୁ ଭୟାବହ ପ୍ରଭାବ ପଡ଼ିଛି ଚିଲିକାର ଜୈବ ବିବିଧତା ଉପରେ। ଲୁଣିଆ ଜଳାଶୟରେ ବସବାସ କରୁଥିବା ଅନେକ ଜଳଚର ଜୀବ ଓ ବିଶେଷ କରି ବିଦେଶୀ ପକ୍ଷୀମାନଙ୍କ ଜୀବନ ଏବେ ବିପଦରେ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିବା ସତ୍ତ୍ୱେ, ପୁଣି ଏହା ହେବା ଚିଲିକାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛି।