ରାଜ୍ୟର ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ଗାଁରେ ଘଟିଛି ଏକ ଚର୍ଚ୍ଚିତ ଘଟଣା। ୨୧ ବର୍ଷୀୟ ଯୁବକ ବେଣୁପାଣି ସାହୁଙ୍କ ଆତ୍ମହତ୍ୟାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଉଠିଛି ପ୍ରଶ୍ନର ଝଡ଼।
ସୂଚନା ଅନୁଯାୟୀ, ବେଣୁପାଣି ଅନୁଗୁଳ ଜିଲ୍ଲାର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏବଂ ଉଭୟେ ଘରୁ ଲୁଚି ବିବାହ କରି ମୁମ୍ବାଇ ଓ ପରେ ଚେନ୍ନାଇରେ ରହୁଥିଲେ। ତେବେ ଝିଅ ଘର ପକ୍ଷରୁ ଅଭିଯୋଗ ହେବା ପରେ ଅନୁଗୁଳ ସଦର ଥାନା ପୋଲିସ ବେଣୁଙ୍କ ବାପା-ମାଆ ସହ ଦୁଇ ସମ୍ପର୍କୀୟଙ୍କୁ ଧରି ଦୁଇରୁ ତିନି ଦିନ ଧରି ଅଟକ ରଖିଥିବା ଅଭିଯୋଗ ହୋଇଛି।
ତେବେ ଗତକାଲି ରାତିରେ ବେଣୁ ଘରକୁ ଫେରି ଏହି ଘଟଣା ବିଷୟରେ ଜାଣିବା ପରେ ଗଭୀର ମାନସିକ ଚାପରେ ପଡ଼ିଥିବା କୁହାଯାଉଛି। ଆଜି ସକାଳେ ସେ ଘର ଭିତରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।
ମୃତକଙ୍କ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି ଯେ ପୋଲିସର ଅତ୍ୟାଧିକ କାର୍ଯ୍ୟାନୁଷ୍ଠାନ ଓ ଲୋକଲଜ୍ଜା ଭୟରୁ ବେଣୁ ଏହି ଚରମ ପଦକ୍ଷେପ ନେଇଛନ୍ତି। ଏପରିକି ବେଣୁଙ୍କ ନାବାଳିକା ପତ୍ନୀ ମଧ୍ୟ କହିଛନ୍ତି ଯେ ନିଜ ବାପାମାଆଙ୍କ ଯୋଗୁଁ ବେଣୁର ଏଭଳି ଆତ୍ମହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି।
ପୋଲିସ ବେଣୁର ବାପା ମା ସମ୍ପର୍କୀୟଙ୍କୁ ବିନା ଦୋଷରେ ଥାନାରେ ଅଟକ ରଖିବା ଘଟଣାକୁ ନେଇ ଗ୍ରାମରେ ବର୍ତମାନ ଏକ ପ୍ରକାର ଅଶାନ୍ତ ପରିବେଶ ଥିବା ବେଳେ ବେଣୁର ଆତ୍ମହତ୍ୟା ଏବେ ନିଆଁରେ ଘିଅ ଢଳିଲା ସଦୃଶ୍ୟ ହୋଇଛି।