ବାରିପଦା: ମୟୁରଭଞ୍ଜ ଜିଲ୍ଲା ଡୁକୁରା ବନାଞ୍ଚଳ ବହଳଦାଠାରେ କାର୍ୟ୍ୟରତ ବନ ବିଭାଗ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ହାତୀ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ବିଳମ୍ବରେ ପହଁଚିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି । ଫରେଷ୍ଟରଙ୍କ ସମେତ ୬ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ବନ କର୍ମଚାରୀ ମଧ୍ୟ ରହିଛନ୍ତି ।
ଗତକିଛି ଦିନ ହେବ ଶିମିଳିପାଳ ଜଙ୍ଗଲରୁ ଏକ ଦନ୍ତାହାତୀ ଡୁକୁରା ବନାଞ୍ଚଳକୁ ଚାଲି ଆସିଥିଲା । ସେବେଠାରୁ ବନ ବିଭାଗ ଉକ୍ତ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିଲେ । ହେଲେ ଗତକାଲି ବହଳଦା ଗାଁ ଆଡ଼କୁ ଆସିଥିଲା । ସେଠାରେ କିଛି ଘର ମଧ୍ୟ ଭାଙ୍ଗି ଦେଇଥିଲା । ଏ ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ୭ ଜଣ ଅଧିକାରୀ ଓ କର୍ମଚାରୀ ପହଁଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ।
କିନ୍ତୁ ସେପଟେ ଉତ୍ତ୍ୟକ୍ତ ଗ୍ରାମବାସୀ ବନ ବିଭାଗକୁ ଟିମକୁ ଆକ୍ରମଣ କରିଥିଲେ । ନିସ୍ତୁକ ମାଡ଼ ମାରିବା ସହିତ ଗାଡ଼ି ଭଙ୍ଗାରୁଜା କରିଥିଲେ । ଏହା ପରେ ଉପରସ୍ଥ ଅଧିକାରୀକୁ ଜଣାଇବା ପରେ ବାରିପଦାରୁ ଆଉ ଏକ ଟିମ୍ ଓ ଖୁଣ୍ଟା ଥାନା ପୋଲିସ ଆସି ସେମାନଙ୍କୁ ଉଦ୍ଧାର କରି ଖୁଣ୍ଟା ମେଡ଼ିକାଲରେ ଭର୍ତ୍ତି କରିଥିଲା । ଏହା ସହିତ ଭଙ୍ଗା ଗାଡ଼ିକୁ ଖୁଣ୍ଟା ଥାନାକୁ ନିଆଯାଇଛି ।
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଅପରାହ୍ନରୁ ବନ ବିଭାଗକୁ ଖବର ଦିଆଯାଇଥିବାବେଳେ ଟିମ୍ ରାତିରେ ଆସି ପହଁଚିଥିଲା । ସେପେଟେ ବନ ବିଭାଗ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେମାନେ ଖବର ପାଇବା ପରେ ତୁରନ୍ତ ହାତୀକୁ ଟ୍ରେସ୍ କରିବାକୁ ପଦକ୍ଷେପ ଆରମ୍ଭ କରିଥିଲେ । ଟ୍ରେସ୍ କରିବା ପରେ ଗାଁକୁ ଆସି ଘଉଡ଼ାଇବାକୁ ଚେଷ୍ଟା କରିଥିବାବେଳେ ଗ୍ରାମବାସୀ ଯୁକ୍ତି ତର୍କ କରିବା ସହିତ ଆକ୍ରମଣ କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି ।