ବଲାଙ୍ଗିର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଗସ୍ତ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଆଶଙ୍କାରେ ଏକାଧିକ ବିରୋଧୀ ନେତାଙ୍କୁ ପୋଲିସ ଅଟକ ରଖିଛି । ପାଟଣାଗଡ଼, ପୁଇଁତଳା ଓ ଲରମ୍ଭା ଥାନାରେ ନେତାଙ୍କୁ ଅଟକ ରଖାଯାଇଛି ।
ମୁଖ୍ୟମନ୍ତ୍ରୀ ଗସ୍ତକୁ ବିରୋଧ କରିବାକୁ ବିରୋଧୀ ପ୍ରସ୍ତୁତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବାଧା ଉତ୍ପନ୍ନ ହେବାର ଆଶଙ୍କାରେ ପାଟଣାଗଡ଼ ଥାନାରେ ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେର, ପୁଇଁତଲା ଥାନାରେ ମିଳିତ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ର ଓ ଲରମ୍ଭା ଥାନାରେ କୋଶଲ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶୀଲ ଗୁରୁ ଅଟକ ରହିଛନ୍ତି ।
ଆଜି ବଲାଙ୍ଗୀରସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏକାଧିକ ଲୋକାଭିମୁଖୀ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହିତ ଶୁଭ ଉଦଘାଟନ ମଧ୍ୟ କରିବାର ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କର ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ ଠେଲକୋଳେଇ ସ୍ଥିତ ଜିନ୍ଦଲ କମ୍ପାନୀର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି l ଜିଲ୍ଲା ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି l ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶା ଗସ୍ତ କରି କେବଳ କମ୍ପାନୀର ମାଲିକମାନଙ୍କୁ ଖୁସି କରିଲେ ଚଳିବ ନାହିଁ ସେ କହିଛନ୍ତି ।